ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି: ରତ୍ନସିଂହାସନରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଅନନ୍ୟ ଅଟେ।

ଏଥିପାଇଁ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଅଙ୍କୁରାର୍ପଣ ଓ ଜଳଅଧିବାସ ଆଦି ସ୍ୱତନ୍ତ୍ର ବିଧି ପାଳନ ହୋଇଛି ।ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବାର ବିଧି ରହିଛି।

ଶୁକ୍ରବାର ସକାଳ ଧୂପ ସରିଲେ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ରତ୍ନସିଂହାସନ ନିମ୍ନରେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ସୁନାବେଶ ସମ୍ପନ୍ନ ହେବ । ଦ୍ୱିପହର ଧୂପ ସମୟରେ ପୂଜାପଣ୍ଡା ପୂଜାର୍ଚ୍ଚନା କରୁଥିବା ସମୟରେ ଭିତରଛ ମହାପାତ୍ର ଲକ୍ଷ୍ମଣ ରୂପରେ ଛତ୍ର ଧରି ଦଣ୍ଡାୟମାନ ହେବେ । ଛତ୍ର ମୂଳକୁ ଧାରଣ କରି ପାଳିଆ ଭଣ୍ଡାର ମେକାପ ହନୁମାନ ରୂପରେ ଆଣ୍ଠୁମାଡ଼ି ବସିବେ । ଏହି ଅବସରରେ ଷୋଡ଼ଶ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ । ରାଜନୀତି ବନ୍ଦାପନା ନୀତି ସମ୍ପନ୍ନ ହେବ । ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ସମ୍ପନ୍ନ କରିବେ ।

ଆଜିର ସୁନାବେଶରେ ମହାପ୍ରଭୁ ରତ୍ନ ସିଂହାସନରେ ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇଥାନ୍ତି। ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ରହିଛି।

Related Posts