ରୁଷ ଓ ୟୁକ୍ରେନ ଯୁଦ୍ଧକୁ ବିରୋଧ କରି ପୁଟିନଙ୍କ ଘନିଷ୍ଠ ପରାମର୍ଶଦାତା ନିଜ ପଦ ଛାଡ଼ିଲେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୨୮ ଦିନରେ ପହଞ୍ଚିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଟକ୍କାର ଦେବାରେ ଲାଗିଛନ୍ତି । ଯୁଦ୍ଧ ଫଳରେ ଉଭୟ ଦେଶର ହଜାର ହଜାର ନାଗରିକଙ୍କ ସମେତ ଅନେକ ସୈନିକଙ୍କର ମୃତ୍ୟୁ ମଧ୍ୟ ହେଉଛି । ହେଲେ ଉଭୟ ଦେଶ ପଛକୁ ଫେରିବାକୁ ନାରାଜ । ସେପଟେ ଯୁଦ୍ଧ ଫଳରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ସାରା ବିଶ୍ୱ ରୁଷ ସହ ଦିନକୁ ଦିନ ସମ୍ପର୍କକୁ ତୁଟାଇବାରେ ଲାଗିଛି । ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ବଡ଼ ଝଟକା ମିଳିଛି । ତେବେ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ପୁଟିନ୍ଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ନିଜ ପଦ ଛାଡିବା ସହିତ ରୁଷ ମଧ୍ୟ ଛାଡି ଦେଇଛନ୍ତି। ପୁଟିନଙ୍କ ନିକଟତର ଏବଂ ଘନିଷ୍ଠ ସହଯୋଗୀ ତଥା ରୁଷର ଜଳବାୟୁ ମାମଲାର ରାଷ୍ଟ୍ରଦୂତ ଏନାଟୋଲି ଚୁବେସ(୬୬) ପୁଟିନ ସରକାରଙ୍କ ୟୁକ୍ରେନ ଉପରେ ରୁଷ ଆକ୍ରମଣ ନିଷ୍ପତ୍ତିକୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି। ପୁଟିନଙ୍କ ସରକାରରେ ସେ ଥିଲେ ସବୁଠୁ ବଡ ଅଭିଜ୍ଞ ଅଧିକାରୀ।

ଚୁବେସଙ୍କୁ ୧୯୯୦ରେ ସୋଭିଏତ ସଂଘ ସମୟରେ ସବୁଠୁ ବଡ ସୁଧାରକ ଭାବେ ବିବେଚନା କରାଯାଏ। ସେ ଦୀର୍ଘ ସମୟ ପୁଟିନ୍ ସରକାରଙ୍କ ପ୍ରମୁଖ ସଦସ୍ୟ ଥିଲେ। ପାଶ୍ଚାତ୍ୟ ଦେଶଗୁଡିକ ସହିତ ରୁଷର ସୁସମ୍ପର୍କ ସ୍ଥାପନରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଚୁବେସ। ଚୁବେସ ହିଁ ୧୯୯୦ ମଧ୍ୟ ଭାଗରେ ଭ୍ଲାଦିମିର ପୁଟିନଙ୍କୁ ରୁଷ ସରକାର ତଥା କ୍ରେମଲିନରେ ଚାକିରି ଦେଇଥିଲେ। ଆଗାମୀ ଅନେକ ବର୍ଷ ପର‌୍ୟ୍ୟନ୍ତ ସେ ପୁଟିନଙ୍କୁ ଆଗକୁ ବଢାଇବାରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ପୁଟିନ ରାଷ୍ଟ୍ରପତି ହେବା ପରେ ଚୁବେସ ଅନେକ ସରକାରୀ କମ୍ପାନୀର ପ୍ରମୁଖ ଦାୟିତ୍ଵଭାର ସମ୍ଭାଳିଥିଲେ। ତେବେ ପୁଟିନ୍ଙ୍କ ୟୁକ୍ରେନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ବିରୋଧ କରି ଚୁବେସ ନିଜ ପଦରୁ ଇସ୍ତଫା ଦେବା ସହ ଦେଶ ମଧ୍ୟ ଛାଡି ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts