ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା: ରାଜ୍ୟ ବାହାରକୁ ଗଲା କ୍ରାଇମବ୍ରାଞ୍ଚର ଏକ ଟିମ୍‌

ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାକୁ ଦିନ ଯେତିକି ଯେତିକି ଗଡୁଚି, ମାମଲା ସେତେ ଜଟିଳ ହେବାରେ ଲାଗୁଚି । ଏହାରି ମଧ୍ୟରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଛି। ଫଳରେ ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗସ୍ତ କରିଛି । ଏହାସହିତ ଅନ୍ୟ ଏକ ଟିମ୍‌ ଚାନ୍ଦବାଲିରେ ଯାଇ କରୁଛି ତଦନ୍ତ । କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ ।

ଖବର ଅନୁଯାୟୀ, ମାନସ ସ୍ବାଇଁଙ୍କୁ ଫେବ୍ରୁଆରୀ ୭ ତାରିଖରେ ହତ୍ୟା କରାଯାଇଥିଲା । ଗୋଟିଏ ମାସ ୧୫ ଦିନ ବିତି ଗଲାଣି, ହେଲେ ଏବେ ଯାଏ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାର ପତ୍ତା ମିଳୁନି । ଦିନ ଯେତିକି ଗଡୁଛି ନୂଆ ନୂଆ ଚରିତ୍ରମାନ ଏଣ୍ଟ୍ରି ମାରୁଛନ୍ତି ଆଉ ବଦନାମ ହେଉଛନ୍ତି । ତେବେ ଏସବୁ ଭିତରେ ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଛନ୍ତି ପୋଲିସ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି ।

ବୁଧବାର ଏହି ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଂଚ ହାତକୁ ଯାଇଛି । ଅତିରିକ୍ତ ଡିଜି ସଞ୍ଜିବ ପଣ୍ଡା କହିଛନ୍ତି ଯେ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଂ ହାତକୁ ନେଇଛି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍ ରାଜ୍ୟ ଭିତରେ ସମସ୍ତ ଘଟଣାର ତଦନ୍ତ କରିବ ଓ ଅନ୍ୟଟି ରାଜ୍ୟ ବାହାରେ ବିଭିନ୍ନ ଲିଙ୍କର ଖୋଳତାଡ଼ କରିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ, ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡିଏସପି କଳ୍ପନାଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ ଚାନ୍ଦବାଲି ଥାନାରେ ୨୦୨୨ ଫେବୃୟାରୀ ୧୪ତାରିଖରେ ରୁଜୁ କେସ୍ ନମ୍ବର ୬୩/୨୦୨୨ର ତଦନ୍ତ ଭାର ହାତକୁ ନେଇଛି । ୨୮ବର୍ଷୀୟ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱର ଅଣାଯାଇ ତାଙ୍କୁ ହତ୍ୟା କରିବା ପରେ ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରେ ପୋତି ଦିଆଯାଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ସକ୍ଷମ ହୋଇନଥିବାବେଳେ ତାଙ୍କ ଭାଇ ଓ ମାଷ୍ଟରମାଇଣ୍ଡ ନିରଞ୍ଜନ ସେଠୀଙ୍କ ସମେତ ମୋଟ ୬ଜଣଙ୍କୁ ଗିରଫ କରିଛି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେବି ଫେରାର ଅଛନ୍ତି ।

କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଆପତ୍ତିଜନକ ଭିଡ଼ିଓ ସମ୍ବଳିତ ମେମୋରୀ ଚିପ୍ ରହିଥିବା ସନ୍ଦେହ କରାଯାଉଛି । ଯେଉଁ ଚିପ୍ ପାଇଁ ଶର୍ମିଷ୍ଠା ବିପଦରେ ପଡ଼ିବାର ଆଶଙ୍କା ଥିବାରୁ ତାକୁ ହାତେଇବାକୁ ଉଦ୍ୟମ କରିଥିଲେ। ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ମଧ୍ୟ ଏହି ଘଟଣାରେ ମାଷ୍ଟରମାଇଣ୍ଡ ହୋଇ ମାନସଙ୍କ ଅପହରଣ, ହତ୍ୟାଠୁ ଆରମ୍ଭ କରି ମୃତଦେହକୁ ପୋତିବା ଆଦି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ବୋଲି ପୁଲିସ କହିଛି । ଶର୍ମିଷ୍ଠା ଓ ନିରଞ୍ଜନଙ୍କ ମଧ୍ୟରେ ଆପତ୍ତିଜନକ ସମ୍ପର୍କର ଭିଡିଓ କ୍ୟାମେରାମ୍ୟାନ ମାନସଙ୍କ ହାତରେ ଲାଗିଥିବାର ସନ୍ଦେହ କରାଯାଉଛି । ଯେଉଁଥିପାଇଁ ତାଙ୍କୁ ମିଳିତ ଭାବେ ହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

Related Posts