ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ଇଠି ଠାରୁ ସୋମବାର ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ । ତାଙ୍କୁ ଇଡି କ୍ରମାଗତ ୩ ଧରି ଜେରା କରିଥିବା ବେଳେ ପୁଣି ଶୁକ୍ରବାର ହାଜର ହେବାକୁ କହିଛି। ହେଲେ ମା’ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ରାହୁଲ ଶୁକ୍ରବାର ହାଜର ହେବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ଶୁକ୍ରବାର ବଦଳରେ ସେ ସୋମବାର ହାଜର ହେବାକୁ ମହଲତ ମାଗିଛନ୍ତି। ହେଲେ ଇଡି ରାହୁଲଙ୍କ ଚିଠି ଉପରେ ଏଯାଏ କୌଣସି ନିଷ୍ପତ୍ତି ନେଇ ନାହିଁ।ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ରାହୁଲଙ୍କୁ ସୋମବାର ୯ ଘଣ୍ଟା, ମଙ୍ଗଳବାର ୧୦ ଘଣ୍ଟା ଓ ବୁଧବାର ୧୦ ଘଣ୍ଟା ଜେରା କରିଥିଲା। ପ୍ରାୟ ୩୦ ଘଣ୍ଟାର ଜେରା ପରେ ମଧ୍ୟ ଇଡିର ଆଉ କିଛି ପ୍ରଶ୍ନ ବଳକା ରହି ଯାଇଛି। ଏଥିପାଇଁ ତାଙ୍କୁ ଶୁକ୍ରବାର ପୁଣି ହାଜର ହେବାକୁ କୁହାଯାଇଛି।ପ୍ରକୃତରେ ଆଜି ରାହୁଲଙ୍କୁ ଇଡି ପୁଣି ଜେରା କରିଥାଆନ୍ତା।

କିନ୍ତୁ କୋଭିଡ ପରବର୍ତ୍ତୀ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ଗଙ୍ଗା ରାମ ହସ୍ପିଟାଲରେ ରହିଛନ୍ତି। ତାଙ୍କ ସହ ଆଜି ରହିବାକୁ ରାହୁଲ ଚାହୁଁଥିବାରୁ ଇଡି ତାଙ୍କୁ ଗୋଟିଏ ଦିନର ଛୁଟି ଦେଇଛି। ଏବେ ରାହୁଲ ଓ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ହସ୍ପିଟାଲରେ ସୋନିଆଙ୍କ ପାଖରେ ରହିଛନ୍ତି।ଜୁନ୍ ୨ରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ସୁସ୍ଥ ହୋଇଥିଲେ ମଧ୍ୟ କୋଭିଡ ପରବର୍ତ୍ତୀ ସମସ୍ୟା ଯୋଗୁ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲଙ୍କ ବ୍ୟତୀତ ସୋନିଆଙ୍କୁ ମଧ୍ୟ ହାଜର ହେବାକୁ ଇଡି ସମନ କରିଛି। ୨୩ ତାରିଖରେ ତାଙ୍କର ହାଜିରା ଥିବା ବେଳେ ଏବେ ସେ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି। ତେଣୁ ସେ ୨୩ ତାରିଖ ବେଳକୁ ସୁସ୍ଥ ହୋଇଥିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି।