ହାତ ନଛାଡିବା ନେଇ ହାର୍ଦ୍ଦିକ ପଟେଲଙ୍କୁ ମନାଇଲେ ରାହୁଲ ଗାନ୍ଧୀ !

ଅହମଦାବାଦ: ଗୁଜରାଟ କଂଗ୍ରେସ ରେ ଏବେ ଜାରି ରହିଛି ଅନ୍ତଃକନ୍ଦଳ | ଧୀରେ ଧୀରେ କଂଗ୍ରେସ ଗୁଜୁରାଟ ରେ ନିଜର ସ୍ତିତି ହରେଇବାକୁ ବସିଲାଣି | ଏହାରି ମଧ୍ୟରେ ହାର୍ଦ୍ଦିକ ପଟେଲ କଂଗ୍ରେସ ହାତ ଛାଡ଼ିଦେବା ନେଇ ଜୋର ଧରିଛି ଚର୍ଚା | ଆପ ପକ୍ଷରୁ ତାଙ୍କୁ ଦଳରେ ଯୋଗ ଦେବା ଲାଗି ନିମନ୍ତ୍ରଣ ହୋଇଥିବା ବେଳେ, ସେ ବିଜେପିରେ ମିଶିବା ନେଇ ଚର୍ଚା ହୋଇଛି | ତେବେ ଏହି ଚର୍ଚା ମଧ୍ୟରେ ତାଙ୍କୁ ହାତ ନଛାଡିବା ନେଇ ମନାଇବାକୁ ଚାଲିଛି ଉଦ୍ୟମ । ଏଥିନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ଦଳର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ହାର୍ଦ୍ଦିକ ପଟେଲଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହ ଗୁଜରାଟ କଂଗ୍ରେସର ନେତୃବୃନ୍ଦଙ୍କୁ ତୁରନ୍ତ ହାର୍ଦ୍ଦିକଙ୍କ ସହ ଥିବା ମତଭେଦ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିବା ଦଳର ମହାସଚିବ ରଣଦୀପ ସୁରଜବାଲା ସୂଚନା ଦେଇଛନ୍ତି।

ପୂର୍ବରୁ ଦଳ ଛାଡ଼ିବା ନେଇ ପରୋକ୍ଷରେ ସୂଚନା ଦେଇଥିବା ହାର୍ଦ୍ଦିକ ପଟେଲ ଗତ ସୋମବାର ନିଜ ଟ୍ୱିଟର ପେଜରୁ କଂଗ୍ରେସର ପ୍ରୋଫାଇଲ ପିକ୍ଚର ଓ ପାର୍ଟି ଚିହ୍ନ ସମ୍ବଳିତ ଫଟୋ ହଟାଇ ଦେଇଥିଲା। ଏହାପରେ ହାର୍ଦ୍ଦିକ କଂଗ୍ରେସ ଛାଡ଼ିବା ନେଇ ଚାଲିଲା ସରଗରମ ଆଲୋଚନା । ହେଲେ ରାହୁଲ ଗାନ୍ଧୀ କଥା ହେବା ପରେ ହାର୍ଦ୍ଦିକ ପରବର୍ତ୍ତୀ ପଦକ୍ଷେପ କ’ଣ ନେବେ ତାହା ଉପରେ ସମସ୍ତଙ୍କ ନଜର।

ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ନୁହେଁ ପାର୍ଟିର ପ୍ରଦେଶ ନେତୃତ୍ୱ ଉପରେ ଖୁସି ନ ଥିବା ବ୍ୟକ୍ତ କରି ସାରିଛନ୍ତି ହାର୍ଦ୍ଦିକ । ପୂର୍ବରୁ ଗୁଜରାଟ କଂଗ୍ରେସର କିଛି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିବା ଯୁବ ନେତା ହାର୍ଦ୍ଦିକ ପଟେଲ ପରେ ସିଧାସଳଖ ହାଇକମାଣ୍ଡଙ୍କୁ ସତର୍କବାଣୀ ଶୁଣାଇଥିଲେ। କିଛି ଦିନ ପୂର୍ବେ ସେ ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଏବେ କଂଗ୍ରେସରେ ରହିଛି। କେନ୍ଦ୍ରୀୟ ନେତୃବୃନ୍ଦ ତୁରନ୍ତ ଏମିତି ଗୋଟିଏ ରାସ୍ତା ବାହାର କରନ୍ତୁ, ଯାହାଦ୍ୱାରା ମୁଁ ପୂର୍ବଭଳି କଂଗ୍ରେସରେ ରହିବି। ରାଜ୍ୟ କଂଗ୍ରେସରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ହାର୍ଦ୍ଦିକ ଦଳ ଛାଡ଼ି ଦେଉ ବୋଲି ଚାହୁଁଛନ୍ତି। ସେମାନେ ମୋ ଇଚ୍ଛାଶକ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।” ଏହାପରେ ହାର୍ଦ୍ଦିକଙ୍କ ଦଳ ଛାଡ଼ିବା ନେଇ ଆଲୋଚନା ଜୋର ଧରିଥିଲା।

ପଟିଦାରଙ୍କ ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପଟେଲ ରାତାରାତି ଚର୍ଚ୍ଚିତ ଚେହେରା ବନି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ କଂଗ୍ରେସରେ ଯୋଗଦେଇଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ କଂଗ୍ରେସରେ ସାମିଲ ହୋଇଥିଲେ। ଏହାପରେ କଂଗ୍ରେସ ଉଭୟ ବିଧାନସଭା ଓ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ହେଲେ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କ ଏପରି ବୟାନ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆଗକୁ ନିର୍ବାଚନ ଥିବାରୁ ଏବେ ଦଳର ନେତୃବୃନ୍ଦ ,କଜୁଟ ହୋଇ କାମ କରିବାର ବେଳ। ନିଜ ମଧ୍ୟରେ ବିବାଦରେ ଫସିବା ଉଚିତ ନୁହେଁ ବୋଲି କହିଛନ୍ତି ହାର୍ଦ୍ଦିକ ।

Related Posts