ରାଣା ଦମ୍ପତିଙ୍କୁ ଆଶ୍ବସ୍ତି: ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କ ଗିରଫ ପରେ ଉଭୟଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ | ମୁମ୍ବାଇ ସେସନ କୋର୍ଟ ଉଭୟଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି |

ଗିରଫ ହେବାର ୧୧ ଦିନ ପରେ ଶେଷରେ ଉଭୟ ଜାମିନ ପାଇଛନ୍ତି । ସାଂସଦ ନବନୀତ୍ ରାଣା ଓ ବିଧାୟକ ରବି ରାଣାଙ୍କୁ କିଛି ସର୍ତ୍ତ ଆଧାରରେ ମୁମ୍ବାଇ ସେସନ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଯଦି ଏହି ସର୍ତ୍ତଗୁଡିକ ସେ ପାଳନ ନ କରନ୍ତି କିମ୍ବା ଏହାର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଜାମିନ ନାମଞ୍ଜୁର ହୋଇଯିବ । ମାମଲା ସହ ଜଡିତ କୌଣସି ବି କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିବେ ନାହିଁ ବୋଲି କହିଛନ୍ତି ମୁମ୍ବାଇ ସେସନ କୋର୍ଟ ।

ପ୍ରକାଶ ଥାଉ କି, ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାନ୍ଦ୍ରାସ୍ଥିତ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ସର୍ବସାଧାରଣରେ ଘୋଷଣା କରିବା ପରେ ଏପ୍ରିଲ୍‌ ୨୩ ତାରିଖରେ ଦୁହିଁଙ୍କୁ ଗିରଫ କରାଯାଇଥିଲା।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ଜପ କରିବାକୁ ଧମକ ଦେଇଥିଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେଭଳି କରିବେ ନାହିଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବାର ଯୋଜନା ରହିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ହନୁମାନ ଚାଳିସା ଜପ କରିନଥିଲେ ବି ମୁମ୍ବାଇ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ବିରୋଧ କରି ଶିବସେନା କର୍ମୀମାନେ ରାଣା ପରିବାରର ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାପରେ ରାଣା ଦମ୍ପତିଙ୍କୁ ପୋଲିସ ଗିରଫ କରିଥିଲା ।

ଉଭୟଙ୍କ ବିରୋଧରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନ (IPC)ର 153-A ଧାରାରେ ମାମଲା ରୁଜୁ କରି କୋର୍ଟରେ ହାଜର କରାଯାଇଥିଲା ।

Related Posts