ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦ୍ୱିତୀୟ ଦିନରେ ବି ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ କ୍ବାର୍ଟର୍ସରେ ଚାଲିଛି ଭିଜିଲାନ୍ସ ରେଡ୍ । ଘରେ ରେଡ୍ ସମୟରେ ୨ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ବେଳେ ରବିନାରାୟଣ ପଣ୍ଡାଙ୍କ ଘର ଓ ସମ୍ପର୍କୀୟଙ୍କ ଘରୁ ମୋଟ୍ ୨୮.୯ ଲକ୍ଷ ଟଙ୍କା ଜବତ ହୋଇଛି ।ବାବୁଙ୍କ ଭୁବନେଶ୍ବରରେ ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ ରହିଛି ।

ମିଳିଥିବା ସୂଚନା ମୁତାବକ, ୧୨ ଟି ପ୍ଲଟ ମଧ୍ୟରୁ 5ଟି ଭୁବନେଶ୍ବରରେ, ୨ଟି କଟକରେ ଓ ୫ଟି କେନ୍ଦ୍ରାପଡାରେ ରହିଛି । ଏହାସହିତ ଚଢାଉ ବେଳେ ପ୍ରାୟ ଗୋଟେ କେଜିର ସୁନା ଗହଣା ଜବତ ଠାବ ହୋଇଥିବା ବେଳେ ୧କୋଟି ୨୦ଲକ୍ଷର ବ୍ୟାଙ୍କ ଜମା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ସେପଟେ ଗତକାଲି ରବିନାରାୟଣଙ୍କ ପୁଅର ଶ୍ବଶୁର ଘର ଗଦି ତଳୁ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଛି ।

ଚଢାଉ ସମୟରେ ଯନ୍ତ୍ରୀଙ୍କର ବହୁ ଦାମୀ ସଉକ ଥିବା ଜଣାପଡିଛି । ଭୁବନେଶ୍ୱର ଆଇଗିଣିଆ ଘରେ ବ୍ୟବବହୁଳ ଇଣ୍ଟିରିୟର ସାଙ୍ଗକୁ ଏକାଧିକ ଫରେନ୍ ବ୍ରାଣ୍ଡ ଘଣ୍ଟା ମିଳିଛି । ସେପଟେ ରୂପା ଗ୍ଲାସରେ ପାଣି ପିଉଥିଲେ ବାବୁ । ଘର ଭିତରେ ଥିବା ସିକ୍ରେଟ ଚାମ୍ବରରୁ ଅନେକ ତଥ୍ୟ ପାଇଛି ଭିଜିଲାନ୍ସ ।ଅନ୍ୟପକ୍ଷରେ, ବାପା ରବିନାରାୟଣ ସରକାରୀ ଯନ୍ତ୍ରୀ ହୋଇଥିବା ପୁଅ ଥିଲା କଣ୍ଟରାକ୍ଟର । ବାପାଙ୍କ ସୁପାରିସରେ ପୁଅ କୋଟି କୋଟି ଟଙ୍କାର ଠିକାକାମ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ଗତକାଲି ଭଳି ଆଜି ମଧ୍ୟ ଭୁବନେଶ୍ବର ସମେତ କେନ୍ଦ୍ରାପଡା ଓ ଉଦଳାରେ ରେଡ୍ ଜାରି ରହିଛି। ଭୁବନେଶ୍ୱର ବାସଭବନ, ଉଦଳା ସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୮ ଟି ଟିମ ଘର ଓ ସରକାରୀ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି ।