ରେଳବାଇ ନିଯୁକ୍ତି ପରୀକ୍ଷା ପ୍ରତିବାଦ ଜାରି, ସିସିଟିଭିରେ ପୋଲିସର ବର୍ବରତା ଧରାପଡିଲା ପରେ ୟୁପିରେ ୬ ପୋଲିସ କର୍ମଚାରୀ ସସପେଣ୍ଡ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ରେଳବାଇ ପରୀକ୍ଷାରେ ଅନିୟମିତତା ପାଇଁ ଛାତ୍ରମାନଙ୍କର ବିରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ବିହାରରେ ଏହାର ପ୍ରତିବାଦ ଦେଖିବାକୁ ମିଳିଥିଲା । ଆଉ ବର୍ତ୍ତମାନ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଛାତ୍ରମାନଙ୍କର ବିରୋଧ ଦେଖିବାକୁ ମିଳିଛି । ପରୀକ୍ଷାରେ ହୋଇଥିବା ଅନିୟମିତତା ପାଇଁ ଛାତ୍ରମାନେ ପ୍ରୟାଗରାଜରେ ଅନେକ ସଂଖ୍ୟାରେ ଏକାଠି ହୋଇଥିଲେ । ଏବଂ ଟ୍ରେନକୁ ଅଟଳାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଛାତ୍ରମାନଙ୍କୁ କାବୁ କରିବାକୁ ଯାଇ ପୁଲିସ ଛାତ୍ରମାନଙ୍କ ଉପରକୁ ଲାଠିଚାର୍ଜ କରିଥିଲେ । ଏପରିକି ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଅନେକ ସ୍ଥାନରେ ଖୋଜିବା ମଧ୍ୟ ଆରମ୍ଭ କରିଦେଇଥିଲେ । ଏହା ମଧ୍ୟରେ ପୁଲିସ ଏକ ଘରୋଇ ହଷ୍ଟେଲରେ ପ୍ରବେଶ କରିଥିଲେ । ଏବଂ ଅନେକ ନୀରହ ଛାତ୍ରମାନଙ୍କୁ ପିଟିବା ସହ ଅସଦାଚରଣ କରିଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏନେଇ ଦେଶରେ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିରୋଧୀ ଦଳ । କିଏ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ଆଉ କିଏ ଏହାକୁ ଷଡ଼ଯନ୍ତ୍ର ବୋଲି କହୁଛି । ସେପଟେ ଛାତ୍ରମାନଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ଆସିବା ପରେ ପୁଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଦେଖିବାକୁ ମିଳିଛି ।

ଦୁଇ ଜଣ ସବ-ଇନ୍ସପେକ୍ଟରଙ୍କ ସମେତ ମୋଟ ୬ ଜଣ ପୁଲିସ କର୍ମଚାରୀଙ୍କୁ ଡ୍ୟୁଟିରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି ବୋଲି ପ୍ରୟାଗରାଜର ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ କୁମାର କହିଛନ୍ତି । ଛାତ୍ରମାନଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ଏସଏସପି ଅଜୟ କୁମାର ସାଲୋରି ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କୁ ଆଇନ ବିରୋଧୀ କାର୍ଯ୍ୟରେ ଲିପ୍ତ ନହେବାକୁ ନିବେଦନ କରିଥିଲେ । ଏହା ସହ କିଛି ଛାତ୍ରନେତା ନିଜସ୍ୱ ସ୍ୱାର୍ଥ ପାଇଁ ଛାତ୍ରମାନଙ୍କୁ ଉତ୍ତେଜିତ କରୁଛନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ । ତେଣୁ ବିରୋଧ ପ୍ରଦର୍ଶନ ନକରିବାକୁ ଏସଏସପି ଅଜୟ କୁମାର କହିଛନ୍ତି ।

Related Posts