ରେଳବାଇ ଘରୋଇକରଣ : ୪୦୦ ରେଳ ଷ୍ଟେସନ , ୯୦ ଯାତ୍ରୀବାହୀ ଟ୍ରେନ୍ , ୧୪୦୦ କିଲୋମିଟର ରେଲୱେ ଟ୍ରାକ୍ ଲିଜ୍ ରେ ରଖି ୧ ଲକ୍ଷ ୫୨ ହଜାର କୋଟି ଟଙ୍କା ପାଇବେ ମୋଦୀ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ କାଲି ୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ନ୍ୟାସନାଲ ମୋନେଟାଇଜେସନ୍ ପାଇପଲାଇନ (ଏନଏମପି) ଘୋଷଣା କରିଛନ୍ତି। ଏନଏମପି ଅଧୀନରେ ସରକାର ଯାତ୍ରୀବାହୀ ଟ୍ରେନ, ରେଳ ଷ୍ଟେସନ ଠାରୁ ଆରମ୍ଭ କରି ବିମାନବନ୍ଦର, ସଡକ ଏବଂ ଷ୍ଟାଡିୟମକୁ ପ୍ରାଇଭେଟ୍ ହାତରେ ଦେଇ ଟଙ୍କା ଜମା କରିବେ। ଏହି ଯୋଜନା ଅନୁଯାୟୀ ସରକାରଙ୍କ ଅବ୍ୟବହୃତ ସମ୍ପତ୍ତିକୁ ଘରୋଇ ସଂସ୍ଥାଗୁଡିକୁ ଲିଜ୍ ଭିତ୍ତିରେ ଦିଆଯିବ। ତେବେ ସବୁଠାରୁ ବଡ କଥା ହେଉଛି ବଡ ଏହି ଯୋଜନାର ଅଧାରୁ ଅଧିକ ରାସ୍ତା ଏବଂ ରେଳବାଇ ସହିତ ଜଡିତ। 

 ବେସରକାରୀ ପୁଞ୍ଜି ବିନିଯୋଗ ପାଇଁ ଚେନ୍ନାଇ, ଭୋପାଳ, ବାରାଣାସୀ ଏବଂ ବଡୋଦରା ସମେତ ପ୍ରାୟ ୨୫ ବିମାନବନ୍ଦର, ୪୦ ରେଳ ଷ୍ଟେସନ, ୧୫ ରେଳ ଷ୍ଟାଡିୟମ ଏବଂ ଅନେକ ରେଳ କଲୋନୀକୁ ବିମାନ ବନ୍ଦର ପ୍ରାଧିକରଣ (AAI) ଚିହ୍ନଟ କରିଛି। ଘରୋଇ କ୍ଷେତ୍ରର ବିନିଯୋଗ ସହିତ ଏଗୁଡିକ ବିକଶିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ରେଳବାଇରେ ଆନୁମାନିକ 1.52 ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରକଳ୍ପରେ କ’ଣ କଣ ଅନ୍ତର୍ଭୂକ୍ତ ?

 400 ରେଳ ଷ୍ଟେସନ , 90 ଯାତ୍ରୀବାହୀ ଟ୍ରେନ୍ , 741 କିଲୋମିଟର ଲମ୍ବା କୋଙ୍କଣ ରେଳପଥ , 15 ରେଳ ଷ୍ଟାଡିୟମ୍ ଏବଂ ରେଳ କଲୋନୀ ଏହା ସାଙ୍ଗକୁ ସଡ଼କ, ପରିବହନ , ବିଜୁଳି, ଗ୍ୟାସ ପାଇପଲାଇନ, ବନ୍ଦର, ଟେଲି ଯୋଗାଯୋଗ, କୋଇଲା ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସହ ଜଡ଼ିତ ସମ୍ପତ୍ତିକୁ ଆସେଟ୍ ମନିଟାଇଜେନ୍ ଲାଗି ବ୍ୟବହାର କରାଯିବ।

 ଏନଏମପି ଘୋଷଣାକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି।  କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶ, ପାତାଳ ଏବଂ ଜମି ସବୁ କିଛି ବିକ୍ରି କରିଦେବେ।  ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଟୁଇଟ୍ କରି କହିଛନ୍ତି, ଦେଶର ସମ୍ପତ୍ତି ୬୦ ଲକ୍ଷ କୋଟି ଟଙ୍କାର ବିକ୍ରି – ରାସ୍ତା, ରେଳ, ଖଣି, ଟେଲି ଯୋଗାଯୋଗ, ବିଦ୍ୟୁତ୍, ଗ୍ୟାସ୍, ବିମାନବନ୍ଦର, ବନ୍ଦର, କ୍ରୀଡା ଷ୍ଟାଡିୟମ୍ … ଅର୍ଥାତ୍ ମୋଦୀ ଜୀ … ଆକାଶ, ପୃଥିବୀ ଏବଂ ପାତାଳ ସବୁକିଛି ବିକ୍ରି କରିଦେବେ।

 ଅନ୍ୟପକ୍ଷରେ, ତ୍ରିନାମୁଲ କଂଗ୍ରେସ ଦାବି କରିଛି ଯେ କେନ୍ଦ୍ରର ରାଷ୍ଟ୍ରୀୟ ମୋନେଟାଇଜେସନ୍ ଯୋଜନା (ଏନଏମପି) ହେଉଛି “ପୁଞ୍ଜିପତିଙ୍କ ସହ ମିଶି ସରକାରଙ୍କ ଘରୋଇକରଣ” ର ଏକ ଉଦାହରଣ ଏବଂ ଏହି “ଲୋକ ବିରୋଧୀ ନିଷ୍ପତ୍ତି” ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ। ଟିଏମସି ସାସଂଦ ସୁଖେନ୍ଦୁ ଶେଖର ରାୟ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ କେନ୍ଦ୍ର ସରକାର ଏତେ ଅସହାୟ ହୋଇଯାଇଛନ୍ତି ଯେ କର୍ପୋରେଟ ଜଗତ ପାଖରେ ଆତ୍ମସମର୍ପଣ କରିଛନ୍ତି। ବିଜେପି ସରକାର କର୍ପୋରେଟ, କର୍ପୋରେଟ ଏବଂ କର୍ପୋରେଟରଙ୍କ ଦ୍ବଖରା ରହିଛି।

Related Posts