ରେଳବାଇ ନିଯୁକ୍ତିକୁ ନେଇ ବିକ୍ଷୋଭ; ଖାନ ସାରଙ୍କ ବିରୋଧରେ ଦାଏର ହେଲା ମାମଲା

ପାଟନା(ସତ୍ୟପାଠ ବ୍ୟୁରୋ): ରେଳବାଇ ନିଯୁକ୍ତିରେ ଅନିୟମିତତାକୁ ନେଇ ଛାତ୍ରମାନଙ୍କର ବିରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ସାରା ଦେଶରେ ଏହାର ବିରୋଧ ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବହୁ ଚର୍ଚ୍ଚିତ ଖାନ ସାରଙ୍କ ନାମରେ ଏଫଆଇଆର ହୋଇଥିବାର ସୂଚନା ମିଳିଛି । ତେବେ ଏହି ଏଫଆଇଆରଟିକୁ ପାଟନା ପୁଲିସ କରିଛି । ଛାତ୍ରମାନଙ୍କୁ ବିରୋଧ କରିବାକୁ ପ୍ରବିର୍ତ୍ତାଇବା ଓ ରାଜରାସ୍ତାକୁ ଓହ୍ଲାଇବା ପାଇଁ କହିବା ଭଳି ଅଭିଯୋଗରେ ତାଙ୍କ ନାମରେ ଏଫଆଇଆର ଦାଏର କରାଯାଇଛି । ଏହା ମଧ୍ୟରେ ଖାନ ସାରଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଖାନ ସାର ଯୁବକମାନଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆରଆରବି, ଏନଟିପିସି ପରୀକ୍ଷା ଫଳାଫଳ, ସେମାନଙ୍କ ଅଧିକାର ପାଇଁ କିପରି ଲଢ଼େଇ ଓ ଆନ୍ଦୋଳନ କରିବେ ତାହା ବୁଝାଉଛନ୍ତି। ଭିଡିଓକୁ ଉତ୍ତେଜନାମୂଳକ ବିବେଚନା କରି ପ୍ରଶାସନ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରିଛି। ଏସବୁ ମଧ୍ୟରେ ଖାନ ସାର୍ ଙ୍କ ଶିକ୍ଷାଦାନ ଶୈଳୀ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଏସବୁ ମଧ୍ୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଖାନ ସାରା କିଏ ? ତାଙ୍କ ନାମରେ କାହିଁକି ଏଫଆଇଆର ହୋଇଛି ? ସେ କେଉଁଠି ଶିକ୍ଷାଦାନ କରନ୍ତି ? ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମ ହୋଇଥିବା ଖାନ ସାର୍ କିପରି ପାଟଣାର ଖାନ ସାର୍ ହେଲେ? ଏପରି ଅନେକ ପ୍ରଶ୍ନ । ତେବେ ପାଟଣାର ଖାନ ସାର୍ ୟୁଟ୍ୟୁବର ବିଶ୍ୱ ପ୍ରସିଦ୍ଧ ଶିକ୍ଷକମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ଚ୍ୟାନେଲ ଖାନ ଜିଏସ ରିସର୍ଚ୍ଚ ସେଣ୍ଟର ନାମରେ ରହିଛି । ଏହାର ପ୍ରାୟ ୧.୪୫ କୋଟି ଅନୁସରଣକାରୀ ଅଛନ୍ତି । ସେ ସାଧାରଣ ଜ୍ଞାନ ଏବଂ ଜିଏସ୍ ବିଷୟଗୁଡ଼ିକୁ ଏତେ ସହଜରେ ବ୍ୟାଖ୍ୟା କରନ୍ତି ଯେ ସମସ୍ତେ ତାଙ୍କ ପଢ଼ାଇବା ଶୈଳୀକୁ ପସନ୍ଦ କରନ୍ତି । ଶିକ୍ଷାଦାନ କରିବା ସମୟରେ ସେ ଛାତ୍ର ଓ ପ୍ରାର୍ଥୀମାନଙ୍କ ସହିତ ଏକ ସାଧାରଣ ଦେଶୀ ବିହାରୀ ଶୈଳୀରେ କଥାବାର୍ତ୍ତା କରନ୍ତି । ଖାନ ସାରଙ୍କ ଭିଡିଓ ଦେଖୁଥିବା ଲୋକଙ୍କ ସଂଖ୍ୟା ଲକ୍ଷରେ ଅଛି । ଖାନ ସାରଙ୍କ ଅନେକ ଭିଡିଓ ଦୁଇରୁ ତିନି କୋଟିରୁ ଅଧିକ ଥର ଦେଖାଯାଇଛି ।

ଖାନ ସାରଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ, ବର୍ତ୍ତମାନ ସେ ଅବସରପ୍ରାପ୍ତ। ଖାନ ସାରଙ୍କ ବଡ ଭାଇ ମଧ୍ୟ ସେନାରେ ଜଣେ କମାଣ୍ଡୋ ବୋଲି କୁହାଯାଏ । କେବଳ ଏତିକି ନୁହେଁ, ଖାନ ସାର୍ ମଧ୍ୟ ଏନଡିଏ ଅର୍ଥାତ୍ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାକୁ କୃତ୍ତିତ୍ୱ ଅର୍ଜନ କରିଥିଲେ । କିନ୍ତୁ ଟିକିଏ ବଙ୍କା ହେତୁ ତାଙ୍କୁ ଚୟନ କରାଯାଇ ନଥିଲା । ଏହା ପରେ ଖାନ ସାର୍ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ବିଏସି ଏବଂ ଏମଏସି ଡିଗ୍ରୀ ହାସଲ କରିଥିଲେ । ଏହା ବ୍ୟତୀତ ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି।

Related Posts