ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା; କୋର୍ଟଙ୍କ ସମୟ ନଷ୍ଟ ପାଇଁ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋର୍ଟଙ୍କ ସମୟ ନଷ୍ଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏବେ ଦୁହେଁ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଉଭୟଙ୍କୁ ଟଙ୍କା ଜମା କରିବାକୁ କହିଛନ୍ତି କୋର୍ଟ ।

ତେବେ ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କରିବା ସହ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବ କରିଥିବା ଆବେଦନ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି । ବାରମ୍ବାର ତାରିଖ ଧାର୍ଯ୍ୟ ପରେ ବି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ଆସୁ ନଥିଲେ । ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦେଇଥିଲେ ଅନୁଭବ।

ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ସାନି ଜେରା ପାଇଁ ବର୍ଷା କିଛିଦିନ ପୂର୍ବେ କଟକ ପାରିବାରିକ ଅଦାଲତରେ ଆବେଦନ କରିଥିଲେ । ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବା ବେଳେ ପୁଣି ଥରେ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ରିକଲ ପିଟିସନ ଦାୟର କରିଥିଲେ ବର୍ଷା । ତେବେ କୋର୍ଟ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ଅଦାଲତରେ ଗଡ଼ୁଥିବା ବେଳେ ବର୍ଷା, ଶାଶୂଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି ଅଗଷ୍ଟ ୩୦ ତାରିଖରେ ଜିଲ୍ଲା ଦୌରାଜଜ କୋର୍ଟଙ୍କୁ ଜଣାଇଥିଲେ ।

Related Posts