ଭୁବନେଶ୍ୱର : ଦୁର୍ଗା ପୂଜା ପରି ଫିକା ପଡ଼ିବ କୁଆଁର ପୂର୍ଣ୍ଣିମା । ବର୍ଷାରେ ଭିଜିବ ଉପକୂଳ ଓଡ଼ିଶା। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ। ୧୦ ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ୯ ତାରିଖରୁ ବର୍ଷାର ପରିମାଣ ପଢ଼ିବ। ରାଜ୍ୟ ଅଧିକାଂଶ ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
