ମୟୂରଭଞ୍ଜରେ ବର୍ଷା ବିତ୍ପାତ : ଜଣେ ମୃତ, ବାରିପଦାରୁ ଉଦଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷା ସାରା ରାଜ୍ୟରେ ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପସିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ତେବେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଭଳି ସ୍ଥିତି ଉପୁଜିଛି। ଆଜି ଦିନ ତମାମ ପ୍ରବଳ ବର୍ଷା ଯୋଗୁଁ  ଜିଲ୍ଲାର ପ୍ରମୁଖ ନଦୀ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇଛି । 

ତେବେ ଅଭିଯୋଗ ହୋଇଛି ଯେ, ଲଗାଣ ବର୍ଷା ଯୋଗୁଁ  ରସକଣା ବ୍ଲକ ଧାଙ୍ଗୁଡିଷୋଳ ପଞ୍ଚାୟତ ଅସନାଷୋଳ ଗ୍ରାମର ୪୭ ବର୍ଷିୟ ରାମ ସିଂଙ୍କ ଘର କାନ୍ଥ ପଡି ମୃତ୍ୟୁ ଘଟିଛି । ସେହିପରି ସୋନ,ପଳପଳା, ଗଙ୍ଗାହାର, ସୁବର୍ଣ୍ଣରେଖା ଭଳି ନଦୀ ସାଙ୍ଗକୁ ଏକାଧିକ ଉପନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। 

ଫଳରେ ବାରିପଦା, ଶ୍ୟାମାଖୁଣ୍ଟା, ବାଙ୍ଗିରିପୋଷି, କୁଳିଅଣା, ଖୁଣ୍ଟା, ସାରସକଣା, ଉଦଳା, ବେତନଟୀ ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ସେହିପରି ବାଙ୍ଗିରିପୋଷି ବ୍ଳକର ଏକ ସ୍ଥାନରେ ବ୍ରିଜ୍ ଭୁଷୁଡି ପଡିଛି। 

ଏପଟେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ନାଲହୁଆ ନଦୀ ପାଣି ବଢି ମୁଖ୍ୟ ରାସ୍ତା ଉପରେ ଯାଉଥିବା କାରଣରୁ ବାରିପଦା-ଉଦଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବାରିପଦା ଉପଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାର ସମସ୍ତ ଜଳଭଣ୍ଡାରରେ ମଧ୍ୟ ପାଣି ଅଧିକ ଥିବାରୁ ଜଳ ଛଡ଼ାଯାଉଛି। 

Related Posts