ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା : ଏସ୍ଆରସି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ହୀରାକୁଦ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଗତକାଲିଠୁ  ହୀରାକୁଦ ଡ୍ୟାମ୍‌ରେ ୧୨ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲା ଯାଇଛି। ତେଣୁ  ମହାନଦୀରେ ଏକ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।  ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି ।

ଏସଆରସି କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ସଜାଗ ଅଛନ୍ତି । ଏବେ ହୀରାକୁଦକୁ ୨.୫୮ କ୍ୟୁସେକ୍‌  ଜଳ ପଶୁଥିବା ବେଳେ ୨.୨୫ ଲକ୍ଷ  କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ ବୋଲି ସେ କହିଛନ୍ତି । ଏବେ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟାପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ ୨୦ ଲକ୍ଷ ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଓ ୩୮୪୮ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।

ଲଗାଣ ବର୍ଷା ପରେ  ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଜଳ ସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ସୃଷ୍ଟି ହୋଇଛି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ଉପୁଜି ନାହିଁ । ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି ଏସସଆରସି। 

Related Posts