ଓଡ଼ିଶାକୁ ପୁଣି ମାଡ଼ି ଆସୁଛି ବର୍ଷା: ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : କମିନି ପାଣି । ବଢ଼ୁଛି ଦୁର୍ଦ୍ଦଶା । ସେପଟେ ବନ୍ୟା ଆଶଙ୍କା, ବୋଝ ଉପରେ ଲଳିତା ବିଡା ସାଜିଛି ।ସେପଟେ ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବର୍ଷା। ଦକ୍ଷିଣ ମିଆଁମାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ଗୁରୁବାରଠାରୁ ଓଡ଼ିଶା ଉପକୂଳ ସମେତ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପୁଣିଥରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ।

୧୯ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ବିସ୍ତୃତ ପରିମାଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ର ଆହୁରି ସ୍ପଷ୍ଟ କରିଛି ଯେ ମୌସୁମୀ ନିମ୍ନ ଚାପରେଖା ଆଜି ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ରରେ
ରହିଛି। ଏହା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିବ। ୧୮ ତାରିଖଠାରୁ ୧୯ ତାରିଖ ପୂର୍ବାହ୍ନ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ନୟାଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ଲାଗିରହିବ। ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଢେଙ୍କାନାଳ, ଅନୁଗୁଳ, ‌ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୦ ତାରିଖ ସକାଳୁ ୨୧ ତାରିଖ ପୂର୍ବାହ୍ନ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲା‌ରେ ଅତିପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ୧୯ ଓ ୨୦ ତାରିଖରେ ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ହେବ। ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟରେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଜଳବନ୍ଦି ଓ ପାହାଡ଼ିଆ ଅଞ୍ଚଳ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷା କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଏବେ ସୁଦ୍ଧା ଅଗଷ୍ଟରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅଗଷ୍ଟ ଦ୍ବିତୀୟାର୍ଦ୍ଧରେ କେନ୍ଦ୍ରୀୟ ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ସ୍ବାଭାବିକଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ସ୍ବାଭାବିକ ହେବ। ଅଗଷ୍ଟ ୨୫ ପରେ ବର୍ଷା ପରିମାଣ କମିଯିବ। ମାତ୍ର ଅଗଷ୍ଟ ମାସର ସ୍ବାଭାବିକ ବର୍ଷା ୩୬୬ ମିମି ରହିବ। ସେପ୍ଟେମ୍ବରରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ରହିବ। ସେପ୍ଟେମ୍ବରରେ ରାଜ୍ୟରେ ସ୍ବାଭାବିକ ଭାବେ ୨୨୬.୬ ମିମି ବର୍ଷା ହୋଇଥାଏ। ଏଥର ୨୦%ରୁ ଅଧିକ ବର୍ଷା ହୋଇପାରେ। ସେପ୍ଟେମମ୍ବର ୪ ପରେ ମୌସୁମୀ ପୁଣିଥରେ ସକ୍ରିୟ ହେବ। ଅକ୍ଟୋବରରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ସ୍ବାଭାବିକଠାରୁ ୧୫ରୁ ୨୦% ଅଧିକ ବର୍ଷା ହୋଇପାରେ। ଏଥର ମଧ୍ୟ ମୌସୁମୀ ପ୍ରତ୍ୟାବର୍ତନ ବିଳମ୍ବ ହେବ।

Related Posts