ବିବାଦ ଘେରରେ ରାଜସ୍ଥାନ ରାଜ୍ୟପାଳଙ୍କ ଆତ୍ମଜୀବନୀ : ପୁସ୍ତକରେ ବିଜେପିରେ ଯୋଗଦେବାକୁ ଅପିଲ୍ ,ଉନ୍ମୋଚନ ଅବସରରେ ୨୭ ଭିସିଙ୍କୁ ଦିଆଗଲା ୧୮,୪୬,୩୪୧ ଟଙ୍କାର ବିଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ରଙ୍କ ଆତ୍ମଜୀବନୀ ” କଲରାଜ ମିଶ୍ର ନିମିତ ମାତ୍ର ” ଏବେ ବିବାଦ ଘେରରେ। ରାଜ୍ୟପାଳଙ୍କ ଆତ୍ମଜୀବନୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ଅପିଲ୍ କରାଯାଇଛି। ପୁସ୍ତକର ପୃଷ୍ଠା ନମ୍ବର ୧୧୬ ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଥିବାବେଳେ ପଦ୍ମ ଫୁଲ (ବିଜେପିର ନିର୍ବାଚନୀ ପ୍ରତୀକ) ରହିଛି। ତେବେ ବିବାଦ ଏତିକିରେ ଥମିନି , ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ୨୭ ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ଦୁଇଟି କାର୍ଟୁନ୍ ରେ ପୁସ୍ତକ ସହିତ ୬୮୩୮୩ ଟଙ୍କା (ପ୍ରତ୍ୟେକ) ର ଏକ ବିଲ୍ ପ୍ରଦାନ କରାଯାଇଥିଲା। ତଦନୁସାରେ, ମୋଟ୍ ୫୪ କାର୍ଟୁନ୍ ପାଇଁ ₹ ୧୮,୪୬,୩୪୧ ଟଙ୍କା ହେଉଛି। ଘଟଣା ହେଉଛି ୧ ଜୁଲାଇ ୨୦୨୧ ର, ସେହିଦିନ ରାଜସ୍ଥାନର ରାଜ୍ୟପାଳ କାଲରାଜ ମିଶ୍ରଙ୍କ ୮୦ ତମ ଜନ୍ମଦିନ ଥିଲା ।

ଏହି ଅବସରରେ ରାଜଭବନ ପରିସରରେ ତାଙ୍କର ଆତ୍ମଜୀବନୀ (କଲରାଜ ମିଶ୍ର ନିମିତ ମାତ୍ର ) ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ରାଜ୍ୟର ସମସ୍ତ ୨୭ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ୨୭ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ସେମାନଙ୍କ ଗାଡି ଆଡକୁ ଅଗ୍ରସର ହୋଇଥିଲେ। ଏହାପରେ ସେମାନଙ୍କ ସହ ଯାହା ଘଟିଲା ତାହା କିଛି ସମୟ ପାଇଁ କୁଳପତିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ପ୍ରତ୍ୟେକ କୁଳପତିଙ୍କ ଗାଡିରେ ୨ କାର୍ଟୁନ୍ ବହି ଥିଲା ଏବଂ ଡ୍ରାଇଭରଙ୍କ ହାତରେ ୬୮୩୮୩ ଟଙ୍କାର ଏକ ବିଲ୍ ଥିଲା । ତେବେ ଏହି ବିଲ୍ ରାଜ୍ୟପାଳଙ୍କ ଜୀବନୀ (ହାର୍ଡକୋଭର କଫି ଟେବୁଲ୍ ଫର୍ମାଟରେ) ର ୧୯ଟି କପି ପାଇଁ ଦିଆଯାଇଥିବା ବେଳେ ପୁସ୍ତକର ଅତିରିକ୍ତ କପି ମାଗଣାରେ ଦିଆଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣେ ଭିସି ନାମ ନକହିବା ସର୍ତ୍ତରେ କହିଛନ୍ତି, “ରାଜ୍ୟପାଳଙ୍କ ସହ କୁଳପତି ମାନଙ୍କ ବୈଠକରେ କେହି ଜଣେ ଆମର ଡ୍ରାଇଭରଙ୍କ ନାଁ ଏବଂ ନମ୍ବର ନେଇଯାଇଛନ୍ତି। ତେବେ କୁଳପତି ମାନେ ଭାବିଥିଲେ ଯେ ସେମାନଙ୍କୁ ଖାଦ୍ୟ ଏବଂ ପାଣି ଦେବା ପାଇଁ ତାଙ୍କର ନାଁ ଓ ନମ୍ବର ନିଆଯାଇଛି । ” ଅନ୍ୟ ଜଣେ ଭିସି ଅଭିଯୋଗ କରିଛନ୍ତି ଯେ ସେମାନେ ଘରେ ପହଞ୍ଚିବା ପରେ ଜଣାପଡିଥିଲା ​​ଯେ ଯେଉଁ ବିଲ୍ ସେମାନଙ୍କୁ ଦିଆଯାଇଥିଲା ସେଥିରେ ପାଞ୍ଚଟି କପି ଉଲ୍ଲେଖ ଅଛି, କିନ୍ତୁ କାର୍ଟୁନରେ କେବଳ କଲରାଜ ମିଶ୍ରଙ୍କ ଆତ୍ମଜୀବନୀର ଗୋଟିଏ କପି ରହିଛି। ବିଲ୍ ଅନୁଯାୟୀ, ଜୀବନୀ ର ଗୋଟିଏ କପି ମୂଲ୍ୟ ୩୯୯୯ ଟଙ୍କା, ମୋଟ ୧୯ କପି ର ମୂଲ୍ୟ ୭୫୯୮୧ ଟଙ୍କା। ୧୦ ପ୍ରତିଶତ ରିହାତି ପରେ ଏହାର ମୂଲ୍ୟ ହେଉଛି ୬୮,୩୮୩ ଟଙ୍କା। ରାଜ୍ୟପାଳ କଲରାଜ ମିଶ୍ରଙ୍କ ଆତ୍ମଜୀବନୀ ତାଙ୍କର ଦୀର୍ଘ ଦିନର OSD ଗୋବିନ୍ଦ ରାମ ଜେସୱାଲ ଏବଂ ଅନ୍ୟ ଜଣେ ଅଥର ମିଶି ଏହି ପୁସ୍ତକଟିକୁ ଲେଖିଛନ୍ତି। ତେବେ ଏହାର ଲେଖକ କହିଛନ୍ତି ଯେ ଏହି ପୁସ୍ତକ ବିକ୍ରୟରୁ ପ୍ରାପ୍ତ ଅର୍ଥ ରାଜସ୍ଥାନ ଏବଂ ସାମାଜିକ ବିଜ୍ଞାନ ଉପରେ ଗବେଷଣା ପ୍ରକଳ୍ପ ପାଇଁ ବ୍ୟବହୃତ ହେବ ।

ଉକ୍ତ ଆର୍ଥ ରାଶି କୌଣସି ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରାଯିବ ନାହିଁ। ଭିସି ପ୍ରଶ୍ନ କରିଛନ୍ତି ଯେ , “Rajasthan Transparency in Public Procurement (RTPP), 2012 ଅନୁଯାୟୀ କ୍ରୟ ନିୟମ ସ୍ପଷ୍ଟ ଭାବେ ସମସ୍ତଙ୍କ ସାମ୍ନାରେ ଅଛି। ତେଣୁ , ବିଶ୍ୱବିଦ୍ୟାଳୟ ଉପରେ କିପରି ଏକପାଖିଆ ଭାବେ ପୁସ୍ତକ ଗୁଡ଼ିକର ଲୋଡ୍ ପଡିବ ? ରାଜସ୍ଥାନର ଏହି ୨୭ ଟି ସରକାରୀ ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ, କୃଷି, ପ୍ରାଣୀ ଚିକିତ୍ସା, ଆଇନ ଇତ୍ୟାଦି କ୍ଷେତ୍ରରେ ନିଜର ପରିଚୟ ରଖନ୍ତି । ତେବେ କାହିଁକି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏତେ ସଂଖ୍ୟକ ପୁସ୍ତକ ପାଇଁ ବିଲ୍ ଦେବାକୁ ପଡିବ ଏବଂ ଆମେ କେଉଁଠାରୁ ଏହାର ଖର୍ଚ୍ଚ ବହନ କରିବୁ ବୋଲି କୁଳପତି ପ୍ରଶ୍ନ କରିଛନ୍ତି ? ” ତେବେ ଏସମ୍ପର୍କରେ ରାଜ୍ୟପାଳଙ୍କ ସଚିବ ସୁବୀର କୁମାର କହିଛନ୍ତି ଯେ ଭିସି ମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ନିରର୍ଥକ ଏବଂ ଭିତ୍ତିହୀନ । ଏହି ପୁସ୍ତକରେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ରାଷ୍ଟ୍ରିୟ ସ୍ବୟଂସେବାକ ସଂଗଠନ (ଆରଏସଏସ), ଜନସଙ୍ଘ , ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁସ୍ତକର ପ୍ରସ୍ତାବନା ଲେଖିଥିବାବେଳେ ଶେଷ ପୃଷ୍ଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଭଳି ରାଜନୈତିକ ବ୍ୟକ୍ତି ମାନଙ୍କର ରିଭ୍ୟୁ ରହିଛି । ପୁସ୍ତକର ପୃଷ୍ଠା ନମ୍ବର ୧୧୬ ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଥିବାବେଳେ ପଦ୍ମ ଫୁଲ (ବିଜେପିର ନିର୍ବାଚନ ପ୍ରତୀକ) ପୃଷ୍ଠଭୂମିରେ ଅଛି। ଏବଂ ସେଥିରେ ଲେଖା ହୋଇଛି ଯେ :” ଏକ ‘ନୂତନ ଭାରତ’ ଗଠନ ପାଇଁ ଆମର (ବିଜେପି) ଆନ୍ଦୋଳନକୁ ସମର୍ଥନ କର । ଦଳରେ ଯୋଗ ଦିଅନ୍ତୁ ଏବଂ ଏହି ମିଶନରେ ଆମକୁ ଅଧିକ ଶକ୍ତିଶାଳୀ କରନ୍ତୁ। ଗୋଟିଏ ଭାରତ ଉତ୍କୃଷ୍ଟ ଭାରତ। ” ତେବେ ପୁସ୍ତକ ଉପରେ ପ୍ରତିକ୍ରିୟା ରଖି ଅନ୍ୟ ଜଣେ ଭିସି କହିଛନ୍ତି ଯେ ଏହା ରାଜ୍ୟପାଳଙ୍କ ପଦ ଓ ଗାରିମାର ବିରୁଦ୍ଧ ଅଟେ। ଦୀର୍ଘ ଦିନ ଧରି ରାଜ୍ୟପାଳ ଆରଏସଏସ ଏବଂ ବିଜେପି ସହ ଜଡିତ ଥିଲେ ତେଣୁ ଏହି ପୁସ୍ତକ କୁଳପତିମାନଙ୍କୁ ଦିଆଯିବା ତାଙ୍କର ପୂର୍ବ ଦଳ ପାଇଁ ପ୍ରଚାର କରିବା ଭଳି ହେବ ଯାହାକି ସମ୍ପୂର୍ଣ୍ଣ ଅନୁଚିତ। ରାଜ୍ୟପାଳଙ୍କ ସଚିବଙ୍କୁ ପୁସ୍ତକର (ବିଜେପିକୁ ସମର୍ଥନ କରିବା ସମ୍ବନ୍ଧୀୟ) ବିଷୟବସ୍ତୁ ଉପରେ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ, “ଯେଉଁମାନେ ପୁସ୍ତକ ଲେଖିଛନ୍ତି, ସେମାନେ ଏହା ଜାଣନ୍ତି। ମୁଁ ଏହା ଲେଖି ନାହିଁ କିମ୍ବା ପଢି ନାହିଁ । ତେବେ ଅନ୍ୟ ଜଣେ ଭିସି କହିଛନ୍ତି ଯେ ଏଥିରେ କିଛି ଭୁଲ୍ ନାହିଁ । ତାଙ୍କ କହିବାନୁସାରେ, “ମୁଁ ପୁସ୍ତକ ଦେଖି ନାହିଁ, କିନ୍ତୁ ଯଦି ପୁସ୍ତକ ରାଜ୍ୟପାଳଙ୍କ ବିଷୟରେ, ତେବେ ଏହା ବିଶ୍ୱବିଦ୍ୟାଳୟକୁ ଯିବା ଉଚିତ୍। ହଁ, ପୁସ୍ତକର ମୂଲ୍ୟ ଏକ ଅଲଗା ପ୍ରସଙ୍ଗ ହୋଇପାରେ । ମିଶ୍ର ବର୍ତ୍ତମାନ ରାଜ୍ୟପାଳ, କିନ୍ତୁ ଏହି ପୁସ୍ତକ ତାଙ୍କ ସାରା ଜୀବନ ଉପରେ ଅଛି। କୁଳପତିଙ୍କୁ ଦିଆଯାଇଥିବା ବିଲ୍ ରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍ (ଆଇଆଇଏମ୍ଇ) ର ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଦିଆଯାଇଛି, ଯାହାର ଅର୍ଥ ପୁସ୍ତକର କପି ପାଇଁ ସେହି ସଂସ୍ଥାକୁ ଟଙ୍କା ଦିଆଯିବ। ଏହି ପୁସ୍ତକର ଅନ୍ୟ ସହ-ଲେଖକ ହେଉଛନ୍ତି ରାଜ୍ୟପାଳଙ୍କ OSD ଡ ଡି.କେ ଟାକନେଟ୍, ଯିଏକି ଦୀର୍ଘ ଦିନ ଧରି IIME ସହିତ ଜଡିତ ଥିଲେ। ଏଥି ସହିତ, ପୁସ୍ତକର “ମୁଖ୍ୟ ଅନୁସନ୍ଧାନକାରୀ” ହେଉଛି ଟକନେଟଙ୍କ ପତ୍ନୀ ସୁଜାଥା ଏବଂ ସେ ମଧ୍ୟ ଆଇଆଇଏମଇ ସହିତ ଜଡିତ । IIME ନିଜକୁ ଏକ ସ୍ୱୟଂଶାସିତ ସଂସ୍ଥା ଏବଂ ଏକ ଅଣ-ଲାଭ ସଂଗଠନ ଭାବରେ ବର୍ଣ୍ଣନା କରେ । ଏହା ଏକ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ଭାବରେ ମଧ୍ୟ ସ୍ୱୀକୃତିପ୍ରାପ୍ତ, ଯାହା ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟର ଏକ ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ସଂଗଠନ ଅଟେ । ଜଣେ ଭିସି ପ୍ରଶ୍ନ କରିଛନ୍ତି ଯେ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଅନୁସନ୍ଧାନକାରୀ ସଂସ୍ଥା କିପରି ରାଜ୍ୟପାଳଙ୍କ ଉପରେ ଏକ କଫି ଟେବୁଲ୍ ବୁକ୍ ପ୍ରକାଶ କରିପାରିବ ? ସୂଚନାଯୋଗ୍ୟ ଯେ ବିଲ୍ ରେ ଭିସିଙ୍କୁ ଦିଆଯାଇଥିବା ଦୁଇଟି ପୁସ୍ତକ ହେଉଛି ରତ୍ନ ଅଫ୍ ଇଣ୍ଡିଆ ଏବଂ ମାରୱାରୀ ହେରିଟେଜ୍। ଏଗୁଡିକ IIME ଦ୍ବାରା ଜାନୁଆରୀ ୨୦୨୦ ରେ ସରକାରୀ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା । ଉଭୟ ବହିର ୨୫ କପି ପଠାଯାଇଥିଲା, ଯେଉଁଥି ପାଇଁ ୪୯୫୦ ଟଙ୍କା ଏବଂ ପ୍ରତି କପି ପାଇଁ ୩୨୦୦ ଟଙ୍କା ମଗାଯାଇଥିଲା। ସେହି ସମୟରେ ଏହାର ସମୁଦାୟ ମୂଲ୍ୟ ୨୦୩୭୫୦ ଟଙ୍କା ଥିଲା।

Related Posts