ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଵିଜ୍ଞପ୍ତି, ଚର୍ଚ୍ଚାରେ ଏସବୁ ନାଁ..

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ପାଇଁ ଭୋଟ ଗ୍ରହଣ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ଖାଲିପଡ଼ିଥିବା ଓଡ଼ିଶାର ଏହି ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ଏହି ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ। ତେବେ କିଏ ରାଜ୍ୟସଭା ଯିବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ରାଜ୍ୟସଭା ସାଂସଦ ରେସରେ ସବୁଠାରୁ ଆଗରେ ରହିଛି ମମତା ମହାନ୍ତଙ୍କ ନାଁ। ସେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଥିଲେ | ଦଳ ପୁଣି ଥରେ ତାଙ୍କୁ ରାଜ୍ୟସଭା ପଠାଇ ପାରେ ବୋଲି କୁହାଯାଉଛି | ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନାଁକୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମନମୋହନଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ି ରାଜ୍ୟରେ ସରକାରକୁ ଆସିଥିଲେ ମଧ୍ୟ ସେ କିନ୍ତୁ ନିର୍ବାଚନ ହାରି ଯାଇଥିଲେ | ଏଥିପାଇଁ ଦଳ ତାଙ୍କୁ ରାଜ୍ୟସଭା ପଠାଇ ପାରେ ବୋଲି କୁହାଯାଉଛି | ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁକୁ ନେଇ ବି କଳ୍ପନାଜଳ୍ପନା ଜାରି ରହିଛି। ଗତଥର ବିଶ୍ୱେଶ୍ୱର ମୟୁରଭଞ୍ଜ ରୁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ | ହେଲେ ଏଥର ତାଙ୍କୁ ଦଳ ଟିକେଟ ଦେଇ ନଥିଲା | ତାଙ୍କ ସ୍ଥାନରେ ନବ ଚରଣ ମାଝୀ ବିଜେପି ଟିକେଟରେ ଲଢ଼ି ଜିତିଛନ୍ତି | ତେଣୁ ଦଳ ବିଶ୍ୱେଶ୍ୱରଙ୍କୁ ମଧ୍ୟ ରାଜ୍ୟସଭା ପଠାଇ ପାରେ | ସେଇପରି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନାଁ ମଧ୍ୟ ରେସରେ ରହିଛି | ତେବେ ଦଳ ଏମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରୁଛି ନା କିଛି ସାରପ୍ରାଇଜ ଦେଉଛି ତାହା ଦେଖିବାକୁ ବାକି ରହିଲା | ଓଡ଼ିଶାର 10 ରାଜ୍ୟସଭା ଆସନ ମଧ୍ୟରୁ ବିଜେଡି ପାଖରେ 8 ଟି ଥିବା ବେଳେ ବିଜେପି ପାଖରେ ଗୋଟିଏ ଓ ଗୋଟିଏ ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି |

Related Posts