ରାଜ୍ୟସଭା ରେସ୍‌: ଚତୁର୍ଥ ସିଟ୍ ପାଇଁ ହୋଇପାରେ ଘୋଡ଼ା ବେପାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କିଏ ଜିତିବ ଚତୁର୍ଥ ସିଟ ? କିଏ ଛୁଇଁବ ମ୍ୟାଜିକ ନମ୍ବର । ଏବେ ରାଜ୍ୟସଭା ରେସ୍ ପାଇଁ ଏଭଳି ଆରମ୍ଭ ହୋଇଛି ଅଙ୍କର ଖେଳ ।  ନିଜ ଦମରେ ଚତୁର୍ଥ ସିଟ୍ ଜିତି ପାରିବେନି କେହି ।  ତେଣୁ ଉଭୟ ବିଜେଡି ଓ ବିଜେପିକୁ ଦରକାର ଆଉ ୭ ବିଧାୟକଙ୍କ ସମର୍ଥନ । ସେପଟେ ବାହାରୁ ମାତ୍ର ଜଣଙ୍କର ସମର୍ଥନରେ ମଇଦାନକୁ ଓହ୍ଲାଇପାରେ ହାତ । ଏଭଳି ସ୍ଥିତିରେ ବିଜେଡି-ବିଜେପି ମିଳିମିଶି ପ୍ରାର୍ଥୀ ଦେଇପାରନ୍ତି, ନଚେତ ହୋଇପାରେ ଘୋଡା ବେପାର ।

ମାର୍ଚ ୨୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରୁ ୪ଟି ଆସନ ପାଇଁ ହେବ ଭୋଟ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ ୧୩ । ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ଆରମ୍ଭ କରିଛନ୍ତି ଗୋଟି ଚାଳନା । ବିଜେପି-ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବଳ କଷାକଷି । ୭ ବିଧାୟକ ନେଇପାରନ୍ତି ନିର୍ଣ୍ଣାୟକ ଭୂମିକା । ବିଜେଡ଼ିରେ ୧୧୩ ବିଧାୟକ ଥିବାରୁ ପ୍ରଥମ ୩ଟି ଆସନ ସହଜରେ ଜିତିବ ଦଳ । ତେବେ କିଏ ଜିତିବ ଚତୁର୍ଥ ଆସନ ? ତାକୁ ନେଇ ଚାଲିଛି ଅଙ୍କକଷା। ଚତୁର୍ଥ ଆସନ ପାଇଁ ବିଜେଡି ଏବଂ ବିଜେପି ନିକଟରେ ଅଛନ୍ତି ୨୩ ଜଣ ଲେଖାଏଁ ବିଧାୟକ । ତେଣୁ ଚତୁର୍ଥ ଆସନ ପାଇଁ ଉଭୟ ଦଳକୁ ଆବଶ୍ୟକ ପଡୁଛି ୭ ବିଧାୟକଙ୍କ ସମର୍ଥନ । ଏଭଳି ସ୍ଥିତିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ଜଣେ ସ୍ୱାଧୀନ ବିଧାୟକ ଏବଂ ଜଣେ ସିପିଏମ ବିଧାୟକ । ସେପଟେ କଂଗ୍ରେସ ପ୍ରାର୍ଥୀ ଦେବାକୁ ହେଲେ ୧୦ ବିଧାୟକ ପ୍ରସ୍ତାବକ ରହିବା ଆବଶ୍ୟକ । ଏକ୍ଷେତ୍ରରେ ଯଦି ଜଣେ ବିଧାୟକଙ୍କୁ ନିଜ ଆଡ଼କୁ ନେବାକୁ କଂଗ୍ରେସ ସମର୍ଥ ହୁଏ ତେବେ ଓଲଟ ପାଲଟ ହୋଇପାରେ ଗଣିତ ।  ଉଭୟ ବିଜେଡ଼ି ଓ ବିଜେପି ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ଜଣେ ନିର୍ଦଳୀୟ ପ୍ରାର୍ଥୀକୁ ଉଭୟ ସମର୍ଥନ କରିପାରନ୍ତି । ତେବେ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଉଭୟ ଦଳ ସେମାନଙ୍କୁ ନିଜ ଆଡ଼କୁ ନେବାକୁ ପ୍ରୟାସ କରିବେ । ଏଭଳି ପରିସ୍ଥିତିରେ ଘୋଡ଼ା ବେପାର ଆଶଙ୍କା ରହିବ ।

ସେପଟେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ବିଜେପି ଗତଥର ଭଳି ଏଥର ଓଡ଼ିଶାରୁ ଗୋଟିଏ ସିଟ୍ ନେବାକୁ କସରତ ଜୋରଦାର କରିଥିବାବେଳେ ବିଜେଡି କିନ୍ତୁ ‘ବିଧାନ ପରିଷଦ ବିଲ୍‌’ ସଂସଦରେ ଗୃହୀତ କରାଇବା ଜିଦରେ ଅଟଳ ରହିଛି । ବିଜେପି ନେତୃତ୍ୱଙ୍କୁ ନିଜର ଆଭିମୁଖ୍ୟ ଜଣାଇ ସାରିଥିବା ବିଜେଡି ଅଧିକ ମୂଲଚାଲ୍ ନକରି ଖାଲି ପଡ଼ିଥିବା ସମସ୍ତ ୪ଟି ସିଟକୁ ହାତେଇବା ପାଇଁ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଥିବା ସୂଚନା ମିଳିଛି। ୩ଟି ଆସନକୁ ସହଜରେ ଜିତିବା ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ଥିବାବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗରେ ୪ର୍ଥ ଆସନକୁ ହାତେଇବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଛି। ବିଜେଡି ଏଥର ରାଜ୍ୟସଭା ପାଇଁ ଓବିସି, ମହିଳା ଓ ଆଦିବାସୀ ବର୍ଗରୁ ଜଣେ ଲେଖାଏଁ ପ୍ରାର୍ଥୀ ଦେଇ ନିଜର ପ୍ରାଥମିକତା ଓ ପ୍ରତିବଦ୍ଧତାକୁ ଦର୍ଶାଇବାକୁ ମଧ୍ୟ ଚାହୁଁଛି।

ସୂଚନା ଅନୁସାରେ, ଏପ୍ରିଲ ୨ତାରିଖରେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଞ୍ଜିବ ବିଶ୍ୱାଳ କାର୍ଯ୍ୟକାଳ ଶେଷ ହେଉଛି। ପୂର୍ବରୁ ଇସ୍ତଫା ଦେଇଥିବା ସାଂସଦ ଅନୁଭବ ମହାନ୍ତିଙ୍କର କାର୍ଯ୍ୟକାଳ ମଧ୍ୟ ଏମାନଙ୍କ ସହ ସରୁଛି। ତେଣୁ ଏହି ୪ଟି ଯାକ ଆସନରେ ମାର୍ଚ୍ଚ ୨୬ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବାକୁ ପଡ଼ିବ। ମାର୍ଚ୍ଚ ୬ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ତେବେ ବିଧାନସଭାରେ ସର୍ବାଧିକ ନିଜର ୧୧୩ ବିଧାୟକଙ୍କ ସମର୍ଥନରେ ବିଜେଡି ସମସ୍ତ ୪ଟି ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ ୨୩ ବିଧାୟକ ଥିବା ବିଜେପି ମଧ୍ୟ ନିଜର ପ୍ରଭାବ ମାଧ୍ୟମରେ ଗୋଟିଏ ସିଟକୁ ହାତେଇ ବୋଲି ଦମ୍ଭୋକ୍ତି ବାଢ଼ୁଛି। କଂଗ୍ରେସର ୯ ବିଧାୟକ ଥିବାବେଳେ ଦଳ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବାର ଯଥେଷ୍ଟ ସମ୍ଭାବନା ରହିଛି। ବାକି ଦୁଇ ବିଧାୟକ ମକରନ୍ଦ ମୁଦୁଲି ଓ ଲକ୍ଷ୍ମଣ ମୁଣ୍ଡାଙ୍କ ଆଭିମୁଖ୍ୟ ଶାସକ ବିଜେଡି ପ୍ରତି ରହିଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ମୁଦୁଲି ପୂର୍ବରୁ ଶାସକ ଦଳ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି।

ବିଜେଡି ଓ ବିଜେପି ସମୀକରଣ

ରାଜ୍ୟସଭାର ଗୋଟିଏ ବି ଆସନ ଜିଣିବା ପାଇଁ ବିଜେପି ପାଖରେ ସଂଖ୍ୟା ନାହିଁ । ତଥାପି ନିଜର କେନ୍ଦ୍ରୀୟ ନେତୃତ୍ୱଙ୍କ ମାଧ୍ୟମରେ ଦଳ ଓଡ଼ିଶାରେ ଗୋଟିଏ ଆସନ ଜିତିବାକୁ ନେଇ ଆଶାବାଦୀ ଅଛି । ତେବେ ‘ବିଧାନ ପରିଷଦ ବିଲ୍‌’କୁ ସଂସଦରେ ଗୃହୀତ କରାଇବା ଜିଦରେ ଅଟଳ ଥିବା ବିଜେଡି ଏଥର ଚତୁର୍ଥ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ବ୍ୟତୀତ ଅନ୍ୟ କାହାକୁ ସମର୍ଥନ କରିବା ସ୍ଥିତିରେ ନଥିବା ବିଜେପିକୁ ରୋକଠୋକ୍ ଜଣାଇ ଦେଇଥିବା କୁହାଯାଉଛି । ଯଦି ବିଜେପି ଶ୍ରୀ ରାୟଙ୍କୁ ପ୍ରାର୍ଥୀ କରେ,ତା’ହେଲେ ବିଜେଡି ଆବଶ୍ୟକ ସହଯୋଗ ଯୋଗାଇ ଦେବ ବୋଲି ପ୍ରସ୍ତାବ ଦେଇଛି। ମାତ୍ର ଶ୍ରୀ ରାୟଙ୍କୁ ରାଜ୍ୟ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ବିରୋଧ କରୁଥିବାରୁ ତାଙ୍କ ନାଁ ଉପରେ ସହମତି ହେଲାଭଳି ଲାଗୁନି । ତେଣୁ ସମସ୍ତ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ନେଇ କସରତ ଆରମ୍ଭ କରିବା ସହ ଗଣମାଧ୍ୟମରେ ସମସ୍ତ ୪ଟି ଆସନରେ ଦଳ ଜିତିବ ବୋଲି ଖୋଲାଖୋଲି ଦମ୍ଭୋକ୍ତି ବାଢ଼ିଛି।

କ’ଣ କହୁଛି ରାଜ୍ୟସଭା ଫର୍ମୁଲା

ଓଡ଼ିଶାରେ ୪ଟି ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ସୂତ୍ର ଅନୁସାରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜିତିବା ପାଇଁ ସର୍ବନିମ୍ନ ୩୦ଟି ଭୋଟ୍ ଆବଶ୍ୟକ। ବିଜେଡି ପାଖରେ ୧୧୩ ବିଧାୟକ ଥିବାରୁ ଦଳ ପାଖରେ ୪ର୍ଥ ପ୍ରାର୍ଥୀ ପାଇଁ ୨୩ ବିଧାୟକଙ୍କ ସମର୍ଥନ ରହିବ। ଯଦି ଦଳ ବିଧାୟକ ଶ୍ରୀ ମୁଦୁଲି ଓ ଶ୍ରୀ ମୁଣ୍ଡାଙ୍କ ସମର୍ଥନ ଯୋଗାଡ଼ କରେ ଏବଂ କଂଗ୍ରେସ ଭୋଟଦାନରୁ ବିରତ ରହେ ତା’ହେଲେ ଉଭୟ ପ୍ରଥମ ଓ ଦ୍ୱିତୀୟ ପସନ୍ଦର ଭୋଟ ଆଧାରରେ ବିଜେଡି ନିଜର ୪ର୍ଥ ପ୍ରାର୍ଥୀଙ୍କୁ ସହଜରେ ଜିତାଇବାରେ ସକ୍ଷମ ହେବ। ଯଦିଓ ବିଜେପି ପାଖରେ ୨୩ ବିଧାୟକ ଅଛନ୍ତି ତଥାପି ତାହା କାମ ଦେବନି।

Related Posts