ରାମଦେବଙ୍କୁ ମହଙ୍ଗା ପଡିଲା ଏଲୋପାଥି ବିରୋଧୀ ମନ୍ତବ୍ୟ : ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ” ଏଲୋପାଥି ମେଡିସିନ ଦେବାଳିଆ ବା ମୂର୍ଖ ବିଜ୍ଞାନ, ଏହି ମେଡିସିନ ଖାଇ ଦେଶରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି।” ଏଭଳି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଯୋଗ ଗୁରୁ ବାବା ରାମଦେବଙ୍କ ଅଡୁଆ ବଢିଛି। ଏହି ବିବାଦୀୟ ବୟାନ ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଶୁକ୍ରବାର ଦିନ ନୋଟିସ୍ ଜାରି କରିଛନ୍ତି। 

   ରାମଦେବ କୋଭିଡ -19 ର ଚିକିତ୍ସା ପାଇଁ ଏଲୋପାଥିକ ଚିକିତ୍ସା ଏବଂ ଡାକ୍ତରଙ୍କ ବିରୋଧରେ ମିଥ୍ୟା ତଥ୍ୟ ପ୍ରଚାର କରିଥିବା ଅଭିଯୋଗରେ ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ରେ ହେବ। 

    ପ୍ରକାଶ ଥାଉକି ବାବା ରାମଦେବଙ୍କ ଏକ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଶୁଣିବାକୁ ମିଳୁଥିଲା ଯେ, ଏଲୋପାଥିକ ମେଡିସିନ ଖାଇ ଦେଶରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ରେମଡେସିଭିର, ଫାଭିଫ୍ଲୁ ଓ ଅନ୍ୟ ଔଷଧ ଆକ୍ରାନ୍ତଙ୍କୁ ସୁସ୍ଥ କରୁନଥିବା ସେ ଅଭିଯୋଗ କରିଥିଲେ । 

   ଭାରତର ଡ୍ରଗ କଣ୍ଟ୍ରୋଲର ଜେନେରାଲ ରେମଡେସିଭିର ଏବଂ ଫାଭିଫ୍ଲୁର ବ୍ୟବହାର ପାଇଁ ଅନୁମତି ଦେବା ପରେ ଏହି ଔଷଧର ବ୍ୟବହାର ହୋଇଥିଲା । ଏଭଳି ସ୍ଥିତିରେ ଯୋଗଗୁରୁ ରାମଦେବଙ୍କ ବିବାଦୀୟ ବୟାନକୁ ଆଇଏମଏ ରାମଦେବଙ୍କ ଏହି ବୟାନକୁ କଡା ବିରୋଧ କରିଥିଲା। ଏଥିପାଇଁ ତାଙ୍କୁ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ।

    ଏଲୋପାଥି ବିରୁଦ୍ଧରେ ଏଭଳି ବୟାନ ଦେଇ ରାମଦେବ ବୈଜ୍ଞାନିକ ଔଷଧକୁ ବଦନାମ କରିଥିବା ଆସୋସିଏସନ କହିଥିଲା । ରାମଦେବଙ୍କ ଏହି ଅଶିକ୍ଷିତ ମନ୍ତବ୍ୟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ନିକଟରେ ଆସୋସିଏସନ ଦାବି କରିଥିଲା । ଇଣ୍ଡିଆନ ମେଡିକାଲ ଆସୋସିଏସନର ଅଭିଯୋଗ ପରେ ପାଟନା ଏବଂ ରାୟପୁରରେ ସ୍ୱାମୀ ରାମଦେବଙ୍କ ବିରୋଧରେ ଅନେକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

   ଏହାପରେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରାମଦେବଙ୍କ ନିକଟକୁ ଏକ ପତ୍ର ଲେଖି ତୁରନ୍ତ ତାଙ୍କ ମନ୍ତବ୍ୟକୁ ଫେରାଇ ନିଅନ୍ତୁ ବୋଲି କହିଥିଲେ । ରାମଦେବଙ୍କ ଏହି ବୟାନ ଏଲୋପାଥି ଓ ଅତ୍ୟାଧୁନିକ ଔଷଧକୁ ବଦନାମ କରିବା ସହିତ କୋଭିଡ ଆକ୍ରାନ୍ତଙ୍କ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଭାବନାକୁ ଆଘାତ ପହଞ୍ଚିଛି ବୋଲି ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଉଲ୍ଲେଖ କରିଥିଲେ।

Related Posts