ପେଗାସସ୍ ଜାସୁସି ମାମଲା: ଅଭିଯୋଗ ସ୍ୱୀକାର କଲେ ସୁପ୍ରିମ କୋର୍ଟ, ଆସନ୍ତା ସପ୍ତାହରେ ଶୁଣାଣି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଗାସସ୍ ଗୁଇନ୍ଦାଗିରି ମାମଲା ସଂସଦରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାରେ ସୁପ୍ରିମ କୋର୍ଟ ଦ୍ବାରା ନିରପେକ୍ଷ ଯାଞ୍ଚ ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ସ୍ୱୀକାର କରିଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ବରିଷ୍ଠ ସାମ୍ବାଦିକ ଏନ୍ ରାମଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକାକୁ ଶୁକ୍ରବାର ଦିନ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ବି ରମନ୍ନା ବେଞ୍ଚରେ ଦାଖଲ କରାଯାଇଥିଲା । ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ଶୁକ୍ରବାର ଦିନ ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ରଖିଥିଲେ ।ଏହାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି କି ଆଗାମୀ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।

ଏହି ଆବେଦନରେ କୁହାଯାଇଛି ଯେ ସାମ୍ବାଦିକ, ଡାକ୍ତର, ଓକିଲ, ସାମାଜିକ କର୍ମୀ, ମନ୍ତ୍ରୀ ଏବଂ ବିରୋଧୀଦଳର ନେତାଙ୍କ ଫୋନ୍ ହ୍ୟାକ୍ କରିବା ହେଉଛି ସାମ୍ବିଧାନର ଧାରା 19 (a) (a) ଅନୁଯାୟୀ ଅଭିବ୍ୟକ୍ତିର ସ୍ବତନ୍ତ୍ରତାର ଉଲଂଘନ । ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ଏକ ଫୋନ୍ ହ୍ୟାକ୍ କରିବା ହେଉଛି ଆଇଟି ଆକ୍ଟର ଧାରା 66 (କମ୍ପ୍ୟୁଟର ସମ୍ବନ୍ଧୀୟ ଅପରାଧ), 66 ବି , 66E ଏବଂ 66F ଅନୁଯାୟୀ ଦଣ୍ଡନୀୟ ।

ସୂଚନା ମୁତାବକ ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଦ୍ୱାରା ଏହି ମାମଲାର ଖୋଲାସା କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଇଜ୍ରାଇଲ ସଫ୍ଟୱେୟାର ପେଗାସସ୍ କୁ ବ୍ୟବହାର କରି ଭାରତ ସମେତ ବିଶ୍ୱର ଅନେକ ଦେଶର ପତ୍ରକାର, ନେତା ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯାଉଛି । ଏହି କ୍ରମରେ ଫୋନ ଟ୍ୟାପିଂ ମାମଲା ବି ସାମ୍ନାକୁ ଆସିଥିଲା ।

ଅନ୍ୟପଟେ ପେଗାସସ୍ ମାମଲା ଆସିବା ପରେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଆଲୋଚନା କରିବା ନେଇ ବାରମ୍ବାର ବିରୋଧୀଦଳମାନେ ଦାବି କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଅନେକ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ।

Related Posts