ଭୁବନେଶ୍ବର,୨୦/୧(ସତ୍ୟପାଠ ବ୍ୟୁରୋ): ସମ୍ପୂର୍ଣ୍ଣ ଶୃଙ୍ଗାର ପରେ ସାମ୍ନାକୁ ଆସିଲା ରାମଲାଲାଙ୍କ ଦିବ୍ୟ ମୂର୍ତ୍ତିର ଫଟୋ । ଫୁଲ ଓ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ରାମଲାଲା । ଅଙ୍ଗବସ୍ତ୍ର ଓ ନାନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀରାମ । ମସ୍ତକରେ ମୁକୁଟ, ଗଳାରେ ମାଳି, ହାର ଓ ବେକରେ ଫୁଲମାଳ ସହ ଝଟକୁଛନ୍ତି ରାମଲାଲା ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ମଝିରେ ଆଉ ମାତ୍ର ଦିନଟିଏ ଥିବା ବେଳେ ରାମ ଲାଲାଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଉଛି । ଗତକାଲି ପ୍ରଥମ କରି ରାମଲାଲାଙ୍କ ଦିବ୍ୟ ମୂର୍ତ୍ତି ଲୋକଲୋଚନକୁ ଆସିଥିଲା । ଆଉ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହିଁ ଶ୍ରୀରାମଙ୍କ ଏହି ଦିବ୍ୟ ମୂର୍ତ୍ତି ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଶ୍ରଦ୍ଧାଳୁ । ଏବେ ରାମଲାଲାଙ୍କୁ ଶୃଙ୍ଗାର କରାଯାଇଥିବା ବେଳେ ତାଙ୍କ ମୁହଁରେ ଏକ ହଳଦିଆ କପଡ଼ା ବନ୍ଧାଯାଇଛି । ଆସନ୍ତା ୨୨ରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି କପଡ଼ା ଖୋଲାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଧାର୍ମିକ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ଆଗେଇ ଚାଲିଛି । ଆସନ୍ତା 22 ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ | ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୌରାହିତ୍ୟ କରିବେ |
