ରଥଯାତ୍ରା ପ୍ରସ୍ତୁତି: ଆଜି ରଥରେ ଠେକରାବାଡ଼ ବୁଲିବ

ପୁରୀ : ଆସୁଛି ରଥଯାତ୍ରୀ । ପଡ଼ିବ ଉଠିବ ଶ୍ରୀକ୍ଷେତ୍ର । ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ପ୍ରତ୍ୟେକ ରଥରେ ପାର୍ଶ୍ୱଦେବତାଙ୍କୁ ସ୍ଥାପନ କରାଯାଇଛି । ରଥରେ ପ୍ରଥମେ ଶିଖରଡମ୍ୱରୁ ଲଗାଗଲା । ପରେ ୨୭ ପାର୍ଶ୍ୱଦେବାଦେବୀଙ୍କୁ ସ୍ଥାପନ କରାଗଲା । ମଙ୍ଗଳବାର ରଥରେ ଠେକରାବାଡ଼ ବୁଲିବ । ଚିତ୍ରକାରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣୀ କରି ପିତ୍ତଳ ସାଜ ଲଗାଇବେ । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ରଥ ନିର୍ମାଣ କାର୍ଯ୍ୟ ସରିବ ।

ଏବେ ରଥ ଉପରେ ଠାକୁରମାନଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡିଲା । ଏହାପରେ ପଟା ପଡି ଚକା ପଡିବ। ଚକାବେଦିରେ ଠାକୁରେ ବସିବେ। ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭାକାମ ସାରିଥିଲେ। ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିଛନ୍ତି। ଏହାପରେ ଚିତ୍ରକାର ସେବକମାନେ ସେଥିରେ ରଙ୍ଗ ଦେଇଛନ୍ତି। ସିଂହାସନ ଉପରେ କନକମୁଣ୍ଡି କାମ କରାଯାଇଛି । କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ । ରଥରେ କଣଫାଉଡା ଲଗାଯାଇଛି । ସେଥିରେ ମଣ୍ଡଣୀ ବାଉଁଶ ଲଗାଯିବ। ଏହାଯୋଗୁ ରଥ ହୃଷ୍ଟପୁଷ୍ଠ ଲାଗିବ।

ରଥରେ ଧ୍ୱଜବତା ଲଗାସରିଛି । ଅଶ୍ୱ ଲାଗିବା ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି । ପୂର୍ବରୁ ରଥ ସମ୍ମୁଖରେ ଚାରପରିଛା କାଠ ଲାଗିଛି। ଏହା ଉପରେ ଦୁଇଟି ଇଶ ଲାଗିବ । ତାପରେ ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱଙ୍କୁ ଲଗାଯିବ । ରଥ ଚାରିପଟେ ଠେକରାବାଡ ଲାଗିବ । ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥର କନା ମଣ୍ଡଣୀକାମ ସରିବାପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ଏହାପରେ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ ।

Related Posts