ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହିଳା ଇଣ୍ଟର୍ନଙ୍କ ଉପରେ ଘଟିଥିବା ଅମାନବୀୟ ଭିଡ଼ ହିଂସା, ଶାରୀରିକ ନିର୍ଯାତନା ଓ ସର୍ବସମ୍ମୁଖରେ ବସ୍ତ୍ରହରଣ ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) ସ୍ୱତଃପ୍ରବୃତ୍ତ ଭାବେ ମାମଲା ଗ୍ରହଣ କରିଛନ୍ତି।
ଆୟୋଗ ପକ୍ଷରୁ ଜାରି ବିବୃତ୍ତିରେ ଏହି ଘଟଣାକୁ କଡ଼ା ଭାବେ ନିନ୍ଦା କରାଯାଇଥିବା ବେଳେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଠାରୁ ୭ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର) ଦାଖଲ କରିବାକୁ କୁହାଯାଇଛି।
ଗତ ୧୬ ଜୁନରେ ରାୟଗଡ଼ାର କଲ୍ୟାଣସିଂହପୁର ଅଞ୍ଚଳରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା (ଏନ୍ଜିଓ) ସହ ଜଡିତ ଦିଲ୍ଲୀର ଜଣେ ମହିଳା ଇଣ୍ଟର୍ନ ଏବଂ ତାଙ୍କ ସହଯୋଗୀଙ୍କୁ ‘ଶିଶୁ ଅପହରଣକାରୀ’ ବୋଲି ଗୁଜବ ପ୍ରଚାର କରି ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କୁ ସର୍ବସାଧାରଣ ସ୍ଥାନରେ ଅପମାନିତ କରାଯାଇଥିବା ସହ ଶାରୀରିକ ନିର୍ଯାତନା ଦିଆଯାଇଥିବା ଭିଡିଓ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ନିନ୍ଦାର ସ୍ୱର ଉଠିଥିଲା।
ଏହି ଘଟଣାରେ ଏପର୍ଯ୍ୟନ୍ତ କେତେ ଜଣଙ୍କୁ ଗିରଫ କରାଯାଇଛି, କେଉଁ କେଉଁ ଧାରାରେ ମାମଲା ରୁଜୁ ହୋଇଛି ଓ ତଦନ୍ତର ଅଗ୍ରଗତି କ’ଣ ରହିଛି ସେ ସମ୍ପର୍କରେ ଆୟୋଗ ବିସ୍ତୃତ ତଥ୍ୟ ମାଗିଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)-୨୦୨୩ ଅନୁଯାୟୀ ଲାଗୁ ହୋଇଥିବା ଧାରାଗୁଡ଼ିକର ବିବରଣୀ ମଧ୍ୟ ତଲବ କରାଯାଇଛି।
ଏହାଛଡ଼ା ପୀଡ଼ିତାଙ୍କୁ ଯୋଗାଇ ଦିଆଯାଇଥିବା ଚିକିତ୍ସା, ମାନସିକ ପରାମର୍ଶ, ପୁନର୍ବାସ ବ୍ୟବସ୍ଥା ଓ ଭବିଷ୍ୟତରେ ଏନ୍ଜିଓ କର୍ମୀ ଏବଂ ଇଣ୍ଟର୍ନମାନଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛି।
ଭିଡ଼ ହିଂସା ଓ ଗୁଜବ ଆଧାରିତ ଆକ୍ରମଣକୁ ରୋକିବା ପାଇଁ ସମୁଦାୟଭିତ୍ତିକ ପୁଲିସିଂ ଏବଂ ଜନସଚେତନତା କାର୍ଯ୍ୟକ୍ରମ କିପରି କରାଯାଉଛି, ସେ ସମ୍ପର୍କରେ ମଧ୍ୟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଜାତୀୟ ମହିଳା ଆୟୋଗର ଏହି ହସ୍ତକ୍ଷେପ ଘଟଣାର ତଦନ୍ତ ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହୁରି ଗୁରୁତ୍ୱ ଦେବ ବୋଲି ମନେ କରାଯାଉଛି।
