ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ) – ଚଳିତ ବର୍ଷ ଲଗାତାର ଭାବେ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆରବିଆଇ) ରେପୋ ରେଟ୍‌ ବୃଦ୍ଧି କରିଛି। ରେପୋ ରେଟ୍ ୦.୩୫% ବୃଦ୍ଧି ହୋଇଛି। ଫଳରେ ରେପୋ ରେଟ୍‌ ଏବେ ୫.୯୦% ରୁ ୬.୨୫%କୁ ବୃଦ୍ଧି ପାଇଛି। ଏନେଇ ଆଜି ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ଏଭଳି ନିଷ୍ପତ୍ତି ନେଇଛି। ଏମ୍‌ପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

ଅନ୍ୟପକ୍ଷେ, ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ। ଏହାସହ ଏଣିକି ଅଧିକ ଇଏମଆଇ ଦେବାକୁ ମଧ୍ୟ ପଡ଼ିବ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।

ବର୍ଷର ଶେଷ ମାସରେ ରେପୋ ରେଟ୍‌ ବୃଦ୍ଧି ପରେ ଏହା ୬.୨୫%ରେ ପହଞ୍ଚିଛି। ଦେଶରେ ମୁଦ୍ରାସ୍ଫୀତି ହାରକୁ ୬% ଧାର୍ଯ୍ୟଠୁ କମ୍ କରିବା ଲକ୍ଷ୍ୟ ରହିଛି। ଆରବିଆଇ୨୦୨୩ ଆର୍ଥିକ ବର୍ଷ ପାଇଁ ୬.୭% ସିପିଆଇ ମୁଦ୍ରାସ୍ଫୀତିର ପୂର୍ବାନୁମାନ କରିଛି। ଏହାସହ ଆସନ୍ତା ୧୨ ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ୪% ରୁ ଅଧିକ ରହିବ ବୋଲି ଆରବିଆଇ ଆଶା ରଖିଛି।