ଆରବିଆଇ ରେପୋ ରେଟ୍ ବୃଦ୍ଧି ଘୋଷଣାକୁ ନେଇ ଅନେକ ବ୍ୟାଙ୍କ ବଢାଇଲେ ଗୃହ ଋଣ

ନୂଆଦିଲ୍ଲୀ: ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଦର ଦାମ । ତେବେ ବଢ଼ୁଥିବା ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆଣିବା ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି କ୍ରମରେ କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୨-୨୩ରେ ପଞ୍ଚମ ଥର ରେପୋ ରେଟ୍ ବୃଦ୍ଧି କରିଛନ୍ତି।

୨୦୨୨ ଡିସେମ୍ବର ୭ରେ ବ୍ୟାଙ୍କର ସଦ୍ୟତମ ମୁଦ୍ରା ନୀତିର ଘୋଷଣା କରି ରେପୋ ରେଟ୍‌କୁ ୩୫ ବେସିସ ପଏଣ୍ଟ ବଢାଇ ୬.୨୫ ପ୍ରତିଶତ କରିଛନ୍ତି। ଏଥିରେ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ଚାପ ଆହୁରି ବଢିବ। ହୋମ ଲୋନ୍, କାର ଲୋନ୍ ଆଦି ମହଙ୍ଗା ହୋଇଯିବ।

ଆରବିଆଇ ରେପୋ ରେଟ୍ ବୃଦ୍ଧି ଘୋଷଣା ପରେ ଅନେକ ବ୍ୟାଙ୍କ ନିଜର ଗୃହ ଋଣ ବଢାଇଛନ୍ତି। ଏଥିରେ ବ୍ୟାଙ୍କ ଅଫ ବରୋଦା ପରି ବଡ ସରକାରୀ ବ୍ୟାଙ୍କ ସାମିଲ୍। ଆସନ୍ତୁ ଜାଣିବା ଏ ପର୍ଯ୍ୟନ୍ତ କେଉଁ କେଉଁ ବ୍ୟାଙ୍କ ନିଜର ଗୃହ ଋଣ ବଢାଇଛନ୍ତି।

ବ୍ୟାଙ୍କ ଅଫ ବରୋଦା ଖୁଚୁରା ଲୋନ୍ ପାଇଁ ଏହାର ସର୍ବନିମ୍ନ ସୁଧହାର ଡିସେମ୍ବର ୮ରୁ ୮.୮୫ ପ୍ରତିଶତ ରହିଛି। ଏଥିରେ ରେପୋ ରେଟ୍ ୬.୨୫ ପ୍ରତିଶତ ଏବଂ ୨.୬୦ ପ୍ରତିଶତର ମାର୍କ ଅପ୍ ସାମିଲ୍।

ବ୍ୟାଙ୍କ ଅଫ ଇଣ୍ଡିଆର ଓ୍ଵେବସାଇଟ୍‌ ଅନୁଯାୟୀ, ରେପୋ ରେଟ୍‌ରେ ସଂଶୋଧନକୁ ଦୃଷ୍ଟିରେ ରଖି ରେପୋ ବେସ୍‌ଡ ଲ୍ୟାଣ୍ଡିଂ ରେଟ୍(ଆରବିଏଲଆର) ୯.୧୦ ପ୍ରତିଶତ କରାଯାଇଛି। ଏହା ବ୍ୟତୀତ ଏକ ବର୍ଷିଆ ଏମସିଏଲଆର ୮.୧୫ ପ୍ରତିଶତ, ଛଅ ମାସର ଏମସିଏଲଆର ୭.୯୦ ପ୍ରତିଶତ କରାଯାଇଛି। ଏହି ପରିବର୍ତ୍ତନ ଡିସେମ୍ବର ୭ରୁ ଲାଗୁ ହୋଇ ଯାଇଛି।

ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ ମାର୍ଜିନାଲ କାଷ୍ଟ ଅଫ ଫଣ୍ଡ୍ସ(ଏମସିଏଲଆର) ୧୫-୩୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ବ୍ୟତୀତ ଲିଙ୍କ୍‌ଡ ଲେଣ୍ଡିଂ ରେଟ୍(ଆରଏଲଏଲଆର) ୯.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଡିସେମ୍ବର ୧୦ରୁ ଲାଗୁ ହେବ ।

Related Posts