ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):RBIକୁ ବାରମ୍ୱାର ନୂଆ ନୋଟ ଛାପିବାକୁ ପଡ଼ିବନି। ଆଉ କାଗଜ ନୁହେଁ, ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ। ତେବେ ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ ଉପରେ ବିଚାର କରୁଛି। ମଲହୋତ୍ରା କହିଛନ୍ତି ଯେ ଏହି ପ୍ରସ୍ତାବ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସୂଚନାଯୋଗ୍ୟ ଯେ, ପୂର୍ୱରୁ ମଧ୍ୟ ପ୍ଲାଷ୍ଟିକ ନୋଟ ଆଣିବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେତେବେଳେ ଏହି ପ୍ରୟାସ ସଫଳ ହୋଇପାରି ନଥିଲା ।

ଭାରତ ଫେବୃଆରୀ ୨୦୧୨ରେ ଦେଶର ୫ଟି ସହର (କୋଚି, ମୈସୂର, ଜୟପୁର, ଭୁବନେଶ୍ୱର ଏବଂ ଶିମଲା) ରେ ପ୍ଲାଷ୍ଟିକର ୧୦ ଟଙ୍କିଆ ନୋଟର ଟ୍ରାଏଲ (ପରୀକ୍ଷଣ) କରିଥିଲା। କିନ୍ତୁ ଏଟିଏମ ଏବଂ କ୍ୟାଶ ମେସିନଗୁଡ଼ିକ ଯୋଗୁଁ ଅନେକ ସମସ୍ୟା ଦେଖାଦେବାରୁ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା।ପଲିମର କରେନ୍ସି ବା ପଲିମର ବ୍ୟାଙ୍କନୋଟ କପା (ତୁଳା) ବଦଳରେ ଏକ ପତଳା, ନମନୀୟ ପ୍ଲାଷ୍ଟିକ ସବଷ୍ଟ୍ରେଟ ପ୍ରସ୍ତୁତ କରାଯାଇଥାଏ। ଏହି ନୋଟ ଗୁଡ଼ିକ ‘ବାଇ-ଆକ୍ସିଆଲି ଓରିଏଣ୍ଟେଡ ପଲିପ୍ରୋପିଲିନ’ (BOPP) ମାଧ୍ୟମରେ ତିଆରି ହୁଏ। ପଲିମର ନୋଟ ଗୁଡ଼ିକ ଏଟିଏମ କାର୍ଡ ଭଳି ଟାଣ ହୋଇନଥାଏ, ତେଣୁ ଏହାକୁ କାଗଜ ନୋଟ ଭଳି ସହଜରେ ମୋଡ଼ା ଯାଇପାରିବ। କାଗଜ ନୋଟ ତୁଳନାରେ ପଲିମର ବା ପ୍ଲାଷ୍ଟିକ ନୋଟ ଅଧିକ ଚିରସ୍ଥାୟୀ ହୋଇଥାଏ।

ପଲିମର କରେନ୍ସି ଉପରେ ମଇଳା ଏବଂ ଓଦା/ଆର୍ଦ୍ରତାର ପ୍ରଭାବ ଖୁବ କମ ପଡ଼ିଥାଏ। ପଲିମର ନୋଟ ର ଆୟୁଷ ଅଧିକ ହୋଇଥିବାରୁ ବାରମ୍ୱାର ନୂଆ ନୋଟ ଛାପିବାର ଆବଶ୍ୟକତା କମିଯାଏ । ଭାରତ ପାଇଁ ଏହି କରେନ୍ସି ଆସିବା କୌଣସି ନୂଆ କଥା ନୁହେଁ। ଅଷ୍ଟ୍ରେଲିଆ ବିଶ୍ୱରେ ସର୍ୱପ୍ରଥମେ ପଲିମର କରେନ୍ସି ବ୍ୟବହାର କରିଥିଲା। ଏହା ପରେ କାନାଡା, ବ୍ରିଟେନ, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ରୋମାନିଆ ଭଳି ଦେଶରେ ମଧ୍ୟ ପଲିମର କରେନ୍ସି ବ୍ୟବହୃତ ହେଉଛି ବୋଲି କହିଛନ୍ତି।