T କା ମତଲବ ଟୋପି : ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ବନାମ ବାସ୍ତବିକତା

ସତ୍ୟପାଠ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବହୁମତ ପାଇବା ପରେ ୨୯ ମେ ୨୦୧୯ରେ ନବୀନ ବାବୁ ଯେଉଁ ପ୍ରଥମ ଥର ପାଇଁ ମନ୍ତ୍ରୀ ପରିଷଦର ବୈଠକ ଡାକିଥିଲେ, ସେ ବୈଠକ ପରେ ନବୀନ ବାବୁ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଏକ ଐତିହାସିକ ନିଷ୍ପତି ନେଲେ । ଯାହାକୁ ସାରା ରାଜ୍ୟ ଓ ଦେଶ ସାରା ପ୍ରଶଂସା କରାଯାଇଥିଲା । ନିର୍ବାଚନ ସମୟରେ ଯେଉଁ ଇସ୍ତାହାର ବଣ୍ଟା ଯାଇଥିଲା, ତାହାକୁ ସରକାର ନୀତି ଭାବେ ଗ୍ରହଣ କରିବ ଓ ତାକୁ କାର୍ଯ୍ୟରେ ଲଗାଇବ ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ପରିଷଦର ପ୍ରତ୍ୟେକ ମନ୍ତ୍ରୀ ମାସର ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବାକୁ ନିର୍ଦ୍ଦେଶ ଦେଲେ ନବୀନ ବାବୁ । ଏହା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ପ୍ରଶଂସାଯୋଗ୍ୟ ବି । କିଭଳି ଭାବେ ମନ୍ତ୍ରୀ ବା ସରକାର କାର୍ଯ୍ୟ କରୁଛି ତାହା ଲୋକେ ଜାଣିବା ଦରକାର ବୋଲି ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଟୁଇଟ କରାଗଲା ଆଉ କୁହାଗଲା, ଇସ୍ତାହାର ଓ ୫ଟି କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା କରିବେ ।

ଏ ବାବଦରେ ଅଧିକ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ସୂଚନା ଅଧିକାରରେ ସୂଚନା ମଗାଗଲା । ଯେହେତୁ ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରର ପ୍ରଗତୀ ପତ୍ର ଲୋକେ ଦେଖିବା ଦରକାର, ତେଣୁ ସୂଚନା ଅଧିକାରରେ ଏ ସମ୍ପର୍କିତ ତଥ୍ୟ ଓ ନକଲ କପି ମାଗିଥିଲେ ସୂଚନାଧିକାର କର୍ମୀ । ୫ଟିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଟି ହେଉଛି ଟାଇମ ଓ ଟ୍ରାନ୍ସପରେନ୍ସି । ସମୟାନୁବର୍ତ୍ତୀତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ସରକାର ନିଜେ କିଭଳି କାର୍ଯ୍ୟ କରୁଛି ତାହା ଜାଣିଲେ ଆପଣ ହତଚକିତ ହୋଇଯିବେ ।

ଏହି ସୂଚନା ମାଗିବାର ପାଖାପାଖି ମାସେ ଯାଏ ଆବେଦନକୁ ଚାପି ରଖିଦେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଆଇଓ କମ୍ ଡେପୁଟି ସେକ୍ରେଟାରୀ । ଆଉ ଏହାରେ ଉତ୍ତର ମିଳିଲା, ରିପୋର୍ଟ କାର୍ଡ ସମ୍ବନ୍ଧୀୟ କୌଣସି ସୂଚନା ବା ପରଫାନ୍ସ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବା ରାଜ୍ୟ ସରକାରରେ ଉପଲବ୍ଧ ନାହିଁ । ଯାହା ଜଣାପଡିବା ପରେ ୫ଟିକୁ ନେଇ ଉଠିଛି ବଡ ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ନା, ନବୀନ ବାବୁ ଓ ତାଙ୍କର ବ୍ୟକ୍ତିଗତ ସହାୟକ ତଥା ପରବର୍ତ୍ତୀ ସମୟରେ ୫ଟିର କାର୍ଯ୍ୟନିର୍ବାହି ଭାବେ ନିଯୁକ୍ତ ଭିକେ ପାଣ୍ଡିଆନ ବାବୁ ମିଶି ୫ଟି ଆଳରେ ଲୋକଙ୍କୁ ଟୋପି ପିନ୍ଧାଉଛନ୍ତି ।

ବଡ କଥା ହେଉଛି, ନିଜେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଲେ । ତାଙ୍କ ଦପ୍ତରରୁ ପ୍ରେସ ରିଲିଜ୍ ବାହାରିଲା । ତଥାପି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଂଚି ନାହିଁ କିଭଳି ? ବାସ୍ତବିକ ୫ଟିର ପ୍ରଥମ ଟି ଟିର ଅର୍ଥ ଆଉ ଟୋପି ନୁହେଁ ତ ?

Related Posts