ଆଇପିଏଲ ନିଲାମୀରେ ରେକର୍ଡ; ସର୍ବାଧିକ ୧୮.୫୦ କୋଟିରେ ବିକ୍ରି ହେଲେ ଷ୍ଟାର ଅଲରାଉଣ୍ଡର ସାମ କରନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ କୋଚିରେ ଆରମ୍ଭ ହୋଇଛି ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନ । ତେବେ ମୋଟ ୪୦୫ ଜଣ ଖେଳାଳୀଙ୍କ ମଧ୍ୟରୁ ୮୭ ଜଣ ଖେଳାଳୀଙ୍କୁ କିଣିବାକୁ ଆରମ୍ଭ ହୋଇଛି ଏହି ନିଲାମୀ । ତେବେ ନିଲାମୀ ଆରମ୍ଭରୁ ହିଁ ଯାହା ଆଶା କରାଯାଉଥିଲା ତାହା ହୋଇଛି। ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କରନ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି। ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ଦଳରେ ସାମିଲ କରିଛି। ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି ନଥିଲେ। ହେଲେ ଆଜି ସାମ କରନ ସବୁ ରେକର୍ଡ ଭାଙ୍ଗି ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।

ତେବେ ନିଲାମୀ ଆରମ୍ଭରୁ ସାମ କରନଙ୍କୁ ନେବା ପାଇଁ ସବୁ ଦଳର ପ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇଥିଲେ। ଶେଷରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। ପଞ୍ଜାବ ବିଡ୍‌ ଲଗାଉଥିବା ବେଳେ ରାଜସ୍ଥାନ ମଧ୍ୟ ପଛରେ ନଥିଲା। ହେଲେ ପଞ୍ଜାବ ୧୮.୫୦ କୋଟି ବିଡ୍‌ ଲଗାଇବାରୁ ରାଜସ୍ଥାନ ଲଢ଼େଇରୁ ଓହରି ଯାଇଥିଲା। ଶେଷରେ ପଞ୍ଜାବ ସାମ କୁରାନଙ୍କୁ କିଣିବାକୁ ସକ୍ଷମ ହୋଇଛି।

ତେବେ ସାମ କରନ ୨୦୨୨ ଆଇପିଏଲରେ ଖେଳି ନଥିଲେ। ଏହା ପୂର୍ବରୁ ୨୦୨୧ରେ ସେ ଚେନ୍ନାଇ ସହ ରହିଥିଲେ। ଆହତ ସମସ୍ୟା ଯୋଗୁ ୨୦୨୨ ଆଇପିଏଲରୁ ବାଦ ପଡ଼ିଥିବା କୁରାନ ଇଂଲଣ୍ଡ ପାଇଁ ଟି-୨୦ ଫର୍ମାଟରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଟି-୨୦ ବିଶ୍ୱକପରେ ସେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ସହ ସିରିଜ୍‌ ମଧ୍ୟ ମିଳିଥିଲା। ଇଂଲଣ୍ଡ ତାଙ୍କ ଦମରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା। ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାମ କରନ ପଞ୍ଜାବ ପକ୍ଷରୁ ହିଁ ୨୦୧୯ ଆଇପିଏଲରେ ଡେବ୍ୟୁ କରିଥିଲେ। ସେତେବେଳେ ଦଳ ତାଙ୍କୁ ୭.୨ କୋଟି ଟଙ୍କାରେ କିଣିଥିଲା। ତାଙ୍କ ପ୍ରଦର୍ଶନ ଭଲ ନ ରହିବାରୁ ୨୦୨୦ ଅକ୍ସନ ପୂର୍ବରୁ ପଞ୍ଜାବ ତାଙ୍କୁ ରିଲିଜ କରି ଦେଇଥିଲେ। ୨୦୨୦ ଅକ୍ସନରେ ଚେନ୍ନାଇ ତାଙ୍କୁ ୫.୫ କୋଟି ଟଙ୍କାରେ କିଣିଥିଲା। ଚେନ୍ନାଇ ପାଇଁ ସେ ୨ ବର୍ଷ ଖେଳିଥିଲେ। ୨୦୨୨ରେ ସେ ଆଇପିଏଲ ଖେଳି ନଥିବା ବେଳେ ଏବେ ପଞ୍ଜାବକୁ ପୁଣି ଫେରିଛନ୍ତି।

ସାମ କରନଙ୍କ ବ୍ୟତୀତ ପଞ୍ଜାବ ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରାଜାଙ୍କୁ ମଧ୍ୟ ବେସ୍‌ ପ୍ରାଇସ ୫୦ ଲକ୍ଷରେ କିଣିଛି। ଓଡେନ ସ୍ମିଥ ୫୦ ଲକ୍ଷ ଟଙ୍କାରେ ଗୁଜରାଟ ଟାଇଟନ୍ସ ପାଖକୁ ଯାଉଛନ୍ତି। ଜେସନ ହୋଲ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ୫.୭୫ କୋଟିରେ କିଣିଛି।

Related Posts