ପଦ୍ମପୁରରେ ରେଡ୍ ରାଜନୀତି; ବିଜେଡି ନେତାଙ୍କ ଘରେ ଆଇଟି ରେଡ ପରେ ବିଜେପି ନେତାଙ୍କ ଦୋକାନରେ ଜିଏସଟି ଚଢାଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏବେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି ଘନଘନ ରେଡ୍। ପଦ୍ମପୁରରେ ଆୟକର ବିଭାଗ (ଆଇଟି) ର ଚଢାଉ ପରେ, ଏବେ ବିଜେପି ନେତାଙ୍କ ଦୋକାନ ଉପରେ ହୋଇଛି ଜିଏସଟି ଚଢାଉ । ଟିକସ ଫାଙ୍କିବା ଅଭିଯୋଗରେ ପଦ୍ମପୁର ସହରର ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ଚଢାଉ କରିଛି । ଏକ ଲୁଗା ଦୋକାନରେ ଜିଏସଟି ବିଭାଗ ରେଡ୍ କରିଛି ବୋଲି ସୂଚନା ମିଳିଛି ।

ତେବେ ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆୟକର ବିଭାଗ ସକ୍ରିୟ ହେବା ଏବଂ ରେଡ୍ କରିବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।ତେବେ ଆଜି ସକାଳୁ ଆୟକର ବିଭାଗ ପଦ୍ମପୁରର ବ୍ୟବସାୟୀଙ୍କ ଘର ଉପରେ ରେଡ୍ କରିଥିଲା । ଏକକାଳୀନ ୩ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଆଉ ଏହାର କିଛି ଘଣ୍ଟା ପରେ ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ତରଫରୁ ଚଢାଉ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଛି । ଆଇଟି ରେଡ ଚାଲିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । କଳାବଜାରୀ କରିଥିବା ଲୋକଙ୍କ ଘରେ ରେଡ ହେଉଛି ବୋଲି ବିଜେପି କହିଛନ୍ତି । ଅନ୍ୟପଟେ ଭୟଭୀତ କରିବାକୁ ରେଡ କରାଯାଉଛି ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ।

Related Posts