ବିଜେପି ସହ ସମ୍ପର୍କ ଛିନ୍ନ , ସୁଖବୀର ସିଂ ବାଦଲ କହିଲେ -” ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଞ୍ଚଳିକ ଦଳଗୁଡିକ ଏକାଠି ହେବା ଉଚିତ୍ “

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: ବର୍ତ୍ତମାନ ସବୁ ବିରୋଧୀ ଦଳର ନଜର ୨୦୨୪ ଲୋକସଭା ନିର୍ବାଚନ। ଗୋଟିଏ ପଟେ ମିଶନ ୨୦୨୪ ଲକ୍ଷରେ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅପରପକ୍ଷରେ ପଞ୍ଜାବର ଶିରୋମଣୀ ଅକାଳୀ ଦଳ ନେତା ସୁଖବୀର ସିଂହ  ବାଦଲ କହିଛନ୍ତି ତାଙ୍କ ଦଳ ଆଉ ବିଜେପି ସହ ଆଉ ଗଠବନ୍ଧନ କରିବ ନାହିଁ। ଏବେ ଆଞ୍ଚଳିକ ଦଳ ମିଶି ଏକ ବଡ଼ ମୋର୍ଚ୍ଚା ଗଠନ କରିବା ଦରକାର ବୋଲି ସେ କହିଛନ୍ତି। ମୋଦୀ ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଏନଡିଏରୁ ଅଲଗା ହେବା ପରେ ଏବେ ବିଜେପିକୁ ଅକାଳୀ ଦଳ ଖୋଲା ଖୋଲି ଚ୍ୟାଲେଞ୍ଜ କରୁଛି। 

ରବିବାର ଶିରୋମଣୀ ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପିକୁ କାଉଣ୍ଟର କରିବା ପାଇଁ ଆଞ୍ଚଳିକ ଦଳ ଏକାଠି ହୋଇ ଏକ ଜାତୀୟ ସାମ୍ମୁଖ୍ୟ ଗଠନ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସହିତ ତାଙ୍କ ଦଳର ସମସ୍ତ ସମ୍ପର୍କ ଶେଷ ହୋଇଯାଇଛି।

 ଚାଷୀଙ୍କ ସମସ୍ୟା ଅକାଳୀ ଦଳର ମୂଳ ଉଦ୍ଦେଶ୍ୟ ଥିଲା। ତାଙ୍କ ଦଳ ବିଜେପି ସହ କଦାପି ବୁଝାମଣା କରିବ ନାହିଁ ଯିଏ ତିନି କୃଷି ଆଇନ ଆଣିଛି ବୋଲି ବାଦଲ କହିଛନ୍ତି। ବାଦଲ ଏକ ସାକ୍ଷାତକାରରେ ପିଟିଆଇକୁ କହିଛନ୍ତି ଯେ , ଶିରୋମଣୀ ଅକାଳୀ ଦଳ କୃଷକଙ୍କର ଦଳ। ସେମାନଙ୍କର ପ୍ରସଙ୍ଗ ଆମର ଆଦର୍ଶ। ଆମେ ପଞ୍ଜାବରେ ଏହି ଆଇନକୁ ଲାଗୁ ହେବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

 କେନ୍ଦ୍ର ସରକାରଙ୍କ ତିନି କୃଷି ବିଲ୍ ସଂସଦରେ ଆଗତ କରିବା ପରେ ଏହାକୁ ବିରୋଧ କରି ବାଦଲଙ୍କ ପତ୍ନୀ ହର୍ଷମିତ କୌର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସରକାର ଆନ୍ଦୋଳନକାରୀ ଚାଷୀଙ୍କ ସହ ୧୦ ରାଉଣ୍ଡ ବୈଠକ କରି ସାରିଛନ୍ତି କିନ୍ତୁ ସମାଧାନର ସୂତ୍ର ବାହାରି ପାରି ନାହିଁ।

 ଆନ୍ଦୋଳନକାରୀ କୃଷକମାନେ ଦାବି କରିଛନ୍ତି ଯେ ଏହି ଆଇନ ଗୁଡିକ ସର୍ବନିମ୍ନ ସମର୍ଥନ ମୂଲ୍ୟ ଅର୍ଥାତ୍ ଏମ୍ଏସପି ପ୍ରଣାଳୀକୁ ଏହା ନଷ୍ଟ କରିଦେବ ଏବଂ ଏହାକୁ ସରକାର କର୍ପୋରେଟ ହାତରେ ଟେକିଦେବେ । ଏହି ଆଇନକୁ ପ୍ରମୁଖ କୃଷି ସଂସ୍କାର ରୂପେ ପ୍ରୋଜେକ୍ଟ କରୁଥିବା ସରକାରଙ୍କ ସହ ୧୦ ରାଉଣ୍ଡ ବୈଠକ ପରେ ମଧ୍ୟ ସମାଧାନର ରାସ୍ତା ଏବେବି ବାହାରି ନାହିଁ ।

 ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ସହିତ ତାଙ୍କ ଦଳର ମେଣ୍ଟ ଉପରେ ବାଦଲ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ମେଣ୍ଟ ସ୍ଥାୟୀ। ଦଳର ଭବିଷ୍ୟତ କାର୍ଯ୍ୟକ୍ରମରେ ବାଦଲ କହିଛନ୍ତି ବିଭିନ୍ନ ଆଞ୍ଚଳିକ ଦଳ ସହ ସେ କଥାବାର୍ତ୍ତା କରୁଛନ୍ତି। ଯାହା ଦ୍ୱାରା ସେମାନେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ମଞ୍ଚରେ ଆସି ପାରିବେ। ଆମେ ବିଭିନ୍ନ ପାର୍ଟି ସହିତ କଥା ହେଉଛୁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଞ୍ଚଳିକ ଦଳମାନେ ଏକାଠି ହୋଇ ଏକ ସାମ୍ମୁଖ୍ୟ ଗଠନ କରିବା ଉଚିତ୍।  ମୁଖ୍ୟ ବିରୋଧୀ କଂଗ୍ରେସ ଆଉ ପ୍ୟାନ ଇଣ୍ଡିଆ ଦଳ ହୋଇ ନ ଥିବାରୁ ଏହା ତୃତୀୟ ଫ୍ରଣ୍ଟ ପରିବର୍ତ୍ତେ ଦ୍ୱିତୀୟ ଫ୍ରଣ୍ଟ ହେବ ବୋଲି ଶ୍ରୀ ବାଦଲ କହିଛନ୍ତି। ନୂଆ ସାମ୍ମୁଖ୍ୟର ମୁଖ୍ୟ ଲକ୍ଷ୍ୟ ହେବ ବିଜେପିକୁ ପରାସ୍ତ କରିବା। 

 ପଞ୍ଜାବ ନିର୍ବାଚନ :-

 ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଶ୍ରୀ ବାଦଲ କହିଛନ୍ତି ଯେ ଅକାଳୀ ଦଳ ପାଇଁ ଚାଷ ଆଇନ ମୁଖ୍ୟ ପ୍ରସଙ୍ଗ ହେବ ଏବଂ ଯଦି ଦଳ କ୍ଷମତାକୁ ଆସିବ ତେବେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଯୋଗାଇବ। ”  ଏଥିସହ ମୃତ କୃଷକଙ୍କ ପିଲାମାନଙ୍କୁ ସରକାର ମାଗଣା ଶିକ୍ଷା ପ୍ରଦାନ କରିବେ ଏବଂ ଯୁବକ ମୃତ୍ୟୁବରଣ କରିଥିବା ପିତାମାତାଙ୍କୁ ପେନସନ ପ୍ରଦାନ କରିବେ ବୋଲି ବାଦଲ କହିଛନ୍ତି।

 ସେ ଆହୁରି ମଧ୍ୟ କହିଛନ୍ତି ଯେ SAD ନୂତନ ଏବଂ ଯୁବ ଚେହେରା ଉପରେ ଫୋକସ କରିବ ଏବଂ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଯଥାସମ୍ଭବ ମହିଳାଙ୍କୁ ନିର୍ବାଚନରେ ଓହ୍ଲାଇବାକୁ ଚେଷ୍ଟା କରିବ।

 ପେଗାସସ୍ ସ୍ପାଏୱେୟାର ବିବାଦକୁ ନେଇ ବାଦଲ କହିଛନ୍ତି ଯେ, ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଏବଂ ବିରୋଧୀ ସାଂସଦଙ୍କ ନେତୃତ୍ୱରେ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ସେ ଦାବି କରିଛନ୍ତି।

Related Posts