ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି; ମେଡିକାଲ କୋର୍ସ ପୁରା କରିବା ପାଇଁ ନିୟମରେ କୋହଳ

ଯୁଦ୍ଧ ପ୍ରବଣ ୟୁକ୍ରେନରୁ ସ୍ବଦେଶ ସୁରକ୍ଷିତ ଭାବେ ଫେରିଛନ୍ତି ମେଡିକାଲ ଛାତ୍ରଛାତ୍ରୀ | ତେବେ ଜୀବନ ସିନା ବଂଚି ଯାଇଛି କିନ୍ତୁ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି | ସେପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୁ ନେଇ ୟୁକ୍ରେନ ସରକାର ବଡ ନିଷ୍ପତି ନେଇଛନ୍ତି | ମେଡିକାଲ କୋର୍ସ ପୁରା କରିବା ପାଇଁ ନିୟମରେ କୋହଳ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ୟୁକ୍ରେନ ସରକାର । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି , ୟୁକ୍ରେନ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-1କୁ ସ୍ଥଗିତ ରଖିଛନ୍ତି ।

ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି ପରୀକ୍ଷା ଦେବାକୁ ପଡିଥାଏ । ପାଠପଢାର ଆବଶ୍ୟକତାକୁ ପୂରଣ କରିବା ଆଧାରରେ ସେମାନଙ୍କୁ ଆସନ୍ତା ଶିକ୍ଷାବର୍ଷକୁ ଉନ୍ନୀତ କରାଯାଇଛି । ସେହିପରି ଷଷ୍ଠ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଥିବା KROK-2 ପରୀକ୍ଷା ହୋଇଥାଏ । ତେବେ ଏକାଡେମିକ୍ ଆସେସମେଣ୍ଟ ଅନୁସାରେ ଏହି ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିନା KROK ପରୀକ୍ଷାରେ ମେଡିକାଲ ଡିଗ୍ରୀ ମିଳିବ ।

ଜୟଶଙ୍କର ଆହୁରି କହିଛନ୍ତି ଯେ, ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢା ଜାରି ରଖିବା ନେଇ କେନ୍ଦ୍ର ସରକାର ୟୁକ୍ରେନର ପଡୋଶୀ ରାଷ୍ଟ୍ର ହଙ୍ଗେରୀ , ରୋମାନିଆ, କାଜାଖସ୍ତାନ ଓ ପୋଲାଣ୍ଡ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଦେଶ ଗୁଡିକର ପାଠ ପଢା ପ୍ରାୟତଃ ୟୁକ୍ରେନ ଭଳି । ତେଣୁ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମ ଯେପରି ଶେଷ କରିବେ ଏନେଇ ସେଠିକାର ସରକାର ମାନଙ୍କ ସହ ଭାରତ ସରକାର କଥାବାର୍ତ୍ତା କରୁଛନ୍ତି ବୋଲି ଏସ. ଜୟଶଙ୍କର କହିଛନ୍ତି ।

Related Posts