ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କର୍ତ୍ତବ୍ୟରେ ଅବହେଳା ଏବଂ ନିରପେକ୍ଷତା ବଜାୟ ରଖିବାରେ ବିଫଳ ହୋଇଥିବା ଅଭିଯୋଗରେ ଡାଇମଣ୍ଡ ହାରବର ପୋଲିସ ଜିଲ୍ଲାର ୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ (SP) ମଧ୍ୟ କଡ଼ା ଚେତାବନୀ ଦିଆଯାଇଛି।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ: ସନ୍ଦୀପ ଗରାଇ: ଅତିରିକ୍ତ ଏସପି (Addl. SP), ଡାଇମଣ୍ଡ ହାରବର। ସଜଲ ମଣ୍ଡଳ: ଏସଡିପିଓ (SDPO), ଡାଇମଣ୍ଡ ହାରବର। ମୌସମ ଚକ୍ରବର୍ତ୍ତୀ: ଆଇସି (IC), ଡାଇମଣ୍ଡ ହାରବର ଥାନା। ଅଜୟ ବାଗ: ଆଇସି (IC), ଫଲତା ଥାନା।ଶୁଭେଚ୍ଛା ବାଗ: ଓସି (OC), ଉସ୍ତି ଥାନା। ସେପଟେ କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଏହି ଅଧିକାରୀମାନେ ନିର୍ବାଚନ ସମୟରେ ନିଜର ନିରପେକ୍ଷତା ହରାଇଛନ୍ତି। ସନ୍ଦୀପ ଗରାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ମଧ୍ୟ କୁହାଯାଇଛି। ଡାଇମଣ୍ଡ ହାରବର ପୋଲିସ ଜିଲ୍ଲାର ଏସପି ଡଃ ଇଶାନୀ ପାଲଙ୍କୁ ମଧ୍ୟ କମିଶନଙ୍କ କଡ଼ା ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି। ନିଜର ଅଧସ୍ତନ କର୍ମଚାରୀଙ୍କ ଉପରେ ନିୟନ୍ତ୍ରଣ ରଖିବାରେ ବିଫଳ ହୋଇଥିବାରୁ ଏବଂ ନିର୍ବାଚନ ପରି ସମ୍ବେଦନଶୀଳ ସମୟରେ ଶୃଙ୍ଖଳା ରକ୍ଷା କରିପାରି ନଥିବାରୁ ତାଙ୍କୁ ସତର୍କ କରି ଦିଆଯାଇଛି।ଆସନ୍ତାକାଲି (୨୫ ଏପ୍ରିଲ) ସକାଳ ୧୧ଟା ସୁଦ୍ଧା ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏହାର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।ନିର୍ବାଚନ ସମୟରେ ପୋଲିସ ପ୍ରଶାସନର ଏଭଳି ବଡ଼ ଧରଣର ଅଦଳବଦଳ ଓ ଦଣ୍ଡବିଧାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ କମିଶନ କୌଣସି ପ୍ରକାର ବୁଝାମଣା କରିବେ ନାହିଁ ବୋଲି ଏହି ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି।