ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟରେ ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଚିଠି । ତେବେ ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍‌) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଅତ୍ୟନ୍ତ ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାକୁ ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା, କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହାଫଳରେ ନିର୍ଘଣ୍ଟ ସମୟ ମଧ୍ୟରେ ସୁରୁଖୁରୁରେ ଓ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇପାରିବ। ଅନ୍ୟପଟେ ଗତ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା ଘଟଣାଗୁଡ଼ିକ ଚିନ୍ତା ବଢ଼ାଇଛି। ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ହୋଇଯାଇଥିବା ବେଳେ ବାଲେଶ୍ୱରରୁ ଉଦ୍ଧାର ହୋଇଥିଲେ । ସେହିପରି କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରି ଅଛନ୍ତି। ସକାଳେ କାମାକ୍ଷାନଗର ଏନଏସି ୩ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। ଜନଗଣନା କର୍ମଚାରୀ ଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା କର୍ମଚାରୀଙ୍କ ଗାଡି ଭାଙ୍ଗିଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି।