(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଣି ଥରେ କଟକଣା ଲାଗୁ ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ସଜାଗ ରହିଛନ୍ତି । ତେବେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍ ସ୍ଥିତି ବହୁତ୍ ଭଲ ଥିବାରୁ ପର୍ଯ୍ୟାୟକ୍ରମେ ପ୍ରଶାସନ ଅନେକ କଟକଣା କୋହଳ କରିଛି । କିନ୍ତୁ କଟକଣା କୋହଳ ହେବା ଯୋଗୁଁ ନିୟମ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ଠାରୁ ଆରମ୍ଭ କରି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର, ହାତ ଧୋଇବା, ବାହାରେ ଛେପ ନପକାଇବା ଆଦି କଟକଣାର ଉଲଙ୍ଘନ ହେଉଥିବା ନଜର ଆସୁଛି।

ଧର୍ମାନୁଷ୍ଠାନ ଏବଂ ହାଟ ଏବଂ ଦୋକାନ ବଜାରରେ ସାଂଘାତିକ ଗହଳି ଦେଖାଯାଉଛି । ବର୍ତ୍ତମାନ ସୁଦ୍ଧା କରୋନା ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ । ତୃତୀୟ ଲହରୀ ଆସିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ୧୫ତାରିଖରେ ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିଲେ । ତେବେ କଡା କଟକଣା ସହ ବ୍ୟାପକ ପ୍ରତିଷେଧମୂଳକ ଓ ଚିକିତ୍ସା ସୁବିଧା ଯୋଗୁଁ ବହୁ ମାତ୍ରାରେ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିଥିଲା । କିନ୍ତୁ ସଂକ୍ରମଣ ବହୁଳ ଅନ୍ୟ ରାଜ୍ୟମାନଙ୍କରୁ ଓଡିଶାକୁ ଫେରୁଥିବା ଲୋକଙ୍କ ଯୋଗୁଁ ପୁଣି ସଂକ୍ରମଣ ବୃଦ୍ଧି ପାଇଥିଲା ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ୭୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ଟପି ସାରିଲାଣି । ତେବେ ସଂଖ୍ୟାଧିକ ସଂକ୍ରମିତ ସୁସ୍ଥ ହେଉଥିବାରୁ ମୃତ୍ୟୁସଂଖ୍ୟା ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଆଦି ତୁଳନାରେ ଢେର କମ୍‍ ଥିଲେ ମଧ୍ୟ କରୋନାରୁ ସୁସ୍ଥ ହୋଇଥିବା ଅନେକ ଲୋକ ପରବର୍ତ୍ତୀ ସମୟରେ ଅନ୍ୟାନ୍ଯ ରୋଗର ଶିକାର ହେଉଛନ୍ତି ।

ଅପରପକ୍ଷରେ ଟୀକାକରଣ ଅଭିଯାନ ମଧ୍ୟ ଜୋରଦାର ହେଉଛି। ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨କୋଟି ୨୦ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆସରିଛି । ଏମାନଙ୍କ ମଧ୍ୟରେ ପ୍ରାୟ ୫୦ଲକ୍ଷ ଲୋକ ଦୁଇଟି ଯାକ ଡୋଜ୍‍ ଟିକା ନେଇସାରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟିକା ନେବାପରେ ବି କେତେକଙ୍କ ଠାରେ କରୋନା ସଂକ୍ରମଣ ଦେଖା ଦେଉଛି।

ଏବେ ପର୍ଯ୍ୟାୟ କ୍ରମେ ଧର୍ମାନୁଷ୍ଠାନମାନ ଖୋଲୁଛି । ଆଗକୁ ପାର୍ବଣଋତୁ ଆସୁଛି । କେରଳରେ ଓନମ ପର୍ବ ପରଠାରୁ ସେଠାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ବିଶେଷଜ୍ଞ ମାନେ ତୃତୀୟ ଲହରର ସୂଚନା ଦେଲେଣି । ଆମେରିକା ୟୁରୋପ ଭଳି ଦେଶ ଗୁଡିକରେ ନୂଆ ଲହର ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ଏବେ ବି ଆଇସିୟୁ ବେଡ୍‍ ମିଳୁନାହିଁ । ତୃତୀୟ ଲହରରେ ଭାରତରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି । ଏବେ ରାଜ୍ୟରେ ଶିକ୍ଷାନୁଷ୍ଠାନମାନ ଖୋଲିବାରେ ଲାଗିଥିବାବେଳେ ସଭା, ସମିତି, ଶୋଭାଯାତ୍ରା ଆଦି ହେଉଥିବା ଦେଖିବାକୁ ମିଳିଛି । ଏ ସବୁକୁ ପୁଣି କଟକଣାଭୁକ୍ତ କରାନଗଲେ ରାଜ୍ୟରେ ତୃତୀୟ ଲହର ସଂକ୍ରମଣ ଲଗାମଛଡା ହୋଇପାରେ ବୋଲି ଚିକିତ୍ସା ବିଜ୍ଞାନିମାନେ ମତ ଦେଉଛନ୍ତି ।