ଚିନ୍ତା ବଢାଉଛି ଶିଶୁ ସଂକ୍ରମଣ : ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ % ଙ୍କଠାରେ ନାହିଁ ଲକ୍ଷଣ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏବେ ଚିନ୍ତା ବଢୁଛି। ରାଜ୍ୟରେ ପ୍ରତିଦିନ ୧୦୦ ପାଖାପାଖି ଶିଶୁ ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତ ଛୁଆଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଉନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। 

ସେ କହିଛନ୍ତି ଯେ , ୧୮ ବର୍ଷରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ୧୫ ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ବାକି ୫ ପ୍ରତିଶତଙ୍କ ଅଧିକ ଲକ୍ଷଣ ଦେଖାଯାଉଛି ଏବଂ ଯେଉଁ ୫ ପ୍ରତିଶତଙ୍କ ଠାରେ ଲକ୍ଷଣ ଦେଖାଯାଉଛି ସେମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ଭିତରୁ ୩ ପ୍ରତିଶତ ଅକ୍ସିଜେନ ସାହାଯ୍ୟରେ ଠିକ ହୋଇଯାଉଛନ୍ତି ଏବଂ ବାକି ୨ ପ୍ରତିଶତଙ୍କୁ ଆଇସିୟୁର ଆବଶ୍ୟକତା ପଡୁଥିବା ସେ କହିଛନ୍ତି। ଏହି ସବୁ ଭିତରେ ବହୁତ କମ ପିଲାଙ୍କୁ MI ସିଣ୍ଡ୍ରୋମ ହୋଇପାରେ। ଏହା କୋଭିଡରୁ ସୁସ୍ଥ ହୋଇଥିବାର ୪ରୁ ୬ ସପ୍ତାହ ଭିତରେ ପିଲାଙ୍କ ଭିତରେ ଦେଖାଯାଇଥାଏ । ପିଲାଙ୍କ ପ୍ରତିଷେଧକ ଶକ୍ତିରେ ସଂକ୍ରମଣ ହେବାରୁ ଏହା ହୁଏ।

ଶିଶୁମାନଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣର ଏକ ମାସ ପରେ ଜନ୍ମରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ (Multi System Inflammatory Syndrome ବା MI Syndrome)

ର ସମ୍ଭାବନା ବଢିଯାଉଛି। ସେ କହିଛନ୍ତି ଯେ, ପ୍ରଥମ ଲହରରେ ଏହା ଚିହ୍ନଟ ହୋଇନଥିଲା । କିନ୍ତୁ ଦ୍ଵିତୀୟ ଲହରିରେ ଦେଖାଗଲା ଯେ ବହୁତ ପିଲା ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି।

କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ସେମାନଙ୍କୁ ମୁଣ୍ଡବିନ୍ଧା, ଝାଡ଼ା ଓ ବାନ୍ତି ଆଦି ରୋଗ ହେଉଥିବା ଦେଖାଯାଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରାୟ ୧୨ରୁ ୧୫ ପ୍ରତିଶତ ପିଲା କୋଭିଡ ସଂକ୍ରମିତ ହେଉଛନ୍ତି। ମାତ୍ର ୦.୨ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରରେ କିଛି ଶିଶୁଙ୍କ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ଦେଖାଯାଇଥିଲା, କିନ୍ତୁ ଏବେ ସବୁ ଠିକ୍ ଅଛି ବୋଲି ସେ କହିଛନ୍ତି। 

ଏପଟେ ସୂଚନା ମିଳିଛି ଯେ, କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଗାଁର ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୫ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ଖବର ପରେ ବିଦ୍ୟାଳୟକୁ ବନ୍ଦ କରିଛନ୍ତି ପ୍ରଧାନଶିକ୍ଷକ । ପୂର୍ବରୁ କାମାକ୍ଷାନଗର ବ୍ଳକ କାନପୁରା ପଂଚାୟତର ଉଚ୍ଚ ବିଦ୍ୟାଳୟରୁ ୧୪ଜଣ ଛାତ୍ରଛାତ୍ରୀ ଓ ୬ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି । ସେହିପରି କୋଟଗରା ଉଚ୍ଚ ବିଦ୍ୟାଳୟରୁ ୨ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ।

Related Posts