
ପାଟନା: ଆରଜେଡି ବିଧାୟକ ତଥାଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବ ଆଜି ଏକ ବଡ ଘୋଷଣା କରିଛନ୍ତି । ସେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଏନେଇ ଟୁଇଟ୍ ଜରିଆରେ ସୋମବାର ସେ ଏହାର ସୂଚନା ଦେଇଛନ୍ତି।
ଖୁବ୍ ଶୀଘ୍ର ସେ ପିତା ତଥା ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିବେ ବୋଲି ତେଜପ୍ରତାପ କହିଛନ୍ତି। ସେ କହିଛନ୍ତି, ମୁଁ ସର୍ବଦା ନିଜ ପିତାଙ୍କ ପଦ ଚିହ୍ନରେ ଚାଲି ଆସିଛି ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇଛି।
ସୂଚନାଯୋଗ୍ୟ, ତେଜପ୍ରତାପ ଯାଦବ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ମାର୍ଚ୍ଚ ୨୬ରେ ତେଜ ପ୍ରତାପ ଦୁଇଟି ଟୁଇଟ୍ କରି ଅନେକ ନେତାଙ୍କ ମୁଖା ଖୋଲି ଦେବେ ବୋଲି କହିଥିଲେ। ପ୍ରଥମ ଟୁଇଟରେ ଲେଖିଥିଲେ, ସମୟ ଆସି ସାରିଛି ବଡ ଖୁଲାସା କରିବାର। ଶୀଘ୍ର ସେହି ମାନଙ୍କ ମୁଖା ଖୋଲିବି ଯେଉଁମାନେ ମୋତେ ଅବୁଝା ଭାବିବାର ଭୁଲ୍ କରିଛନ୍ତି।
ନିଜର ଦ୍ଵିତୀୟ ଟୁଇଟରେ ତେଜ ପ୍ରତାପ ଲେଖିଥିଲେ, ବେକରେ ତୁଳସୀମାଳ ଏବଂ ହୃଦୟରେ ପାପ…ଈଶ୍ଵରଙ୍କ ନାମର ସାହାରା ନେଉଥିବା ଏହି ଛଦ୍ମବେଶୀଙ୍କୁ ଶୀଘ୍ର ସଜା ମିଳିବ। ଶୀଘ୍ର ସେମାନଙ୍କର ଏମିତି ଖୁଲାସା କରିବି ଯେମିତି ନର୍କର ସଜା ଭୋଗିବେ ।
ତେବେ ତାଙ୍କର ଏହି ଦୁଇ ଟୁଇଟକୁ ନେଇ ରାଜନୀତି ଜୋର ଧରିଥିଲା ।