ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ବିନା କୌଣସି ସୂଚନା କିମ୍ବା ପୂର୍ବ ନୋଟିସରେ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜାଗା ଦର୍ଶନ କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ସ୍ଥାନୀୟ ଲୋକେ ମଧ୍ୟ ନିଜ ଆବଶ୍ୟକ କାମ ପାଇଁ ରାସ୍ତା ଅପରପାର୍ଶ୍ୱକୁ ଯାଇ ପାରୁ ନାହାନ୍ତି।

ଶ୍ରୀମନ୍ଦିର ସମ୍ମୁଖରେ ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲୁଛି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ଥିବା ସମସ୍ତ ଦୋକାନବଜାର ମଧ୍ୟ ବନ୍ଦ ରଖାଯାଇଛି । ତେବେ ଯାତାୟତ ପାଇଁ ଛୋଟିଆ ରାସ୍ତାଟିଏ ହେଲେ ଭଲ ହୁଅନ୍ତା ବୋଲି ଉପସ୍ଥିତ ଲୋକେ କହିଛନ୍ତି ।

ଆଜି ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଅନେକ ଭକ୍ତ ଆସିଥିବା ବେଳେ ଏଭଳି ସିଂହଦ୍ବାର ସମ୍ମୁଖ ରାସ୍ତା ବନ୍ଦ୍ କରିଦେବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି। ସେହିପରି ରାସ୍ତା ଅପରପାର୍ଶ୍ୱରେ ଷ୍ଟେଟ ବ୍ୟାଙ୍କ, ସିଂଦ୍ୱାର ଥାନା, ମେଡିକାଲ ଆଦି ପ୍ରତିଷ୍ଠାନ ଥିବାରୁ ଜରୁରିକାଳୀନ କାମରେ ବି ସ୍ଥାନୀୟ ଲୋକେ ଯାଇପାରୁ ନାହାନ୍ତି। ତେଣୁ ସେମାନେ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରୁଛନ୍ତି।

ସିଂହଦ୍ୱାର ସମ୍ମୁଖ ରାସ୍ତାକୁ କେବେ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।