ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତଙ୍କ ଏକାଧିକ ରେକର୍ଡ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା, ବିଶ୍ବକପ୍‌ରେ ସର୍ବାଧିକ ଶତକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଫଗାନିସ୍ତାନ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ସହଜ ବିଜୟ ଅବସରରେ ଅଧିନାୟକ ରୋହିତ ଶର୍ମା ବୁଧବାର ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ବକପ୍‌ରେ ସର୍ବାଧିକ ଶତକ, ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ଛକା, ବିଶ୍ବକପ୍‌ରେ ଦ୍ରୁତତମ ୧,୦୦୦ ରନ୍‌, ଭାରତୀୟ ଭାବେ ଦ୍ରୁତତମ ବିଶ୍ବକପ୍‌ ଶତକ ଭଳି ଏକାଧିକ ରେକର୍ଡ କରିଛନ୍ତି ‘ହିଟ୍‌ମ୍ୟାନ୍’।

ଆଫଗାନିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୭୩ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ବେଳେ ରୋହିତ ଆରମ୍ଭରୁ ଚୌକା, ଛକାର ବର୍ଷା କରି ଗୋଟିକ ପରେ ଗୋଟିଏ ରେକର୍ଡ କରି ଚାଲିଥିଲେ। ୩୧ତମ ଆନ୍ତର୍ଜାତିକ ଦିନିକିଆ ଶତକ ମାରିବା ପରେ ୮୪ ବଲ୍‌ରୁ ୧୬ ଚୌକା ଓ ୫ ଛକା ସହାୟତାରେ ସେ ୧୩୧ ରନ୍‌ କରି ରସିଦ ଖାନଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ସେହିପରି ଭାରତୀୟ ରନ୍‌ ମେସିନ୍‌ ବିରାଟ ‌କୋହଲି ମଧ୍ୟ ଏହି ମ୍ୟାଚ୍‌ରେ ଧଳାବଲ୍‌ ବିଶ୍ବକପ୍‌ (୫୦ ଓଭର ଓ ଟ୍ବେଣ୍ଟି-୨୦) ରେ ସର୍ବାଧିକ ରନ୍‌ରେ ସଚିନ୍‌ ତେନ୍ଦୁଲକର (୨,୨୭୮ ରନ୍‌)ଙ୍କୁ ପଛରେ ପକାଇଛନ୍ତି। କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୧,୧୪୧ ଓ ଦିନିକିଆରେ ୧,୧୭୦ ରନ୍‌ କରିଛନ୍ତି।

ବିଶ୍ବକପ୍‌କୁ ଆସିବା ବେଳେ ରୋହିତ ୧୭ ପାଳିରୁ ୯୭୮ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲି ପାରିନଥିବା ରୋହିତ ଆଫଗାନିସ୍ତାନ ବିପକ୍ଷରେ ‌ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨ ରନ୍‌ କରିବା ପରେ ବିଶ୍ବକପ୍‌ରେ ୧,୦୦୦ ରନ୍‌ ପୂରଣ କରିଥିଲେ। ଏପରିକି ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ ସେ ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ଯୁଗ୍ମ ଦ୍ରୁତତମ (୧୯ ପାଳି) ହୋଇଥିଲେ। ବିଶ୍ବକପ୍‌ରେ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ପରେ ଚତୁର୍ଥ ଭାରତୀୟ ହୋଇଛନ୍ତି। ସେହିପରି ମ୍ୟାଚ୍‌ରେ ପ୍ରଥମ ତିନୋଟି ଛକା ମାରିବା ପରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସବୁଠୁ ଅଧିକ ଛକା ମାରିବାରେ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟର୍ କ୍ରିସ୍‌ ଗେଲ୍‌ (୫୫୩)ଙ୍କୁ ପଛରେ ପକାଇଥିଲେ।

ମ୍ୟାଚ୍‌ରେ ସେ ୫ ଛକା ମାରି ତାଙ୍କ ସଂଖ୍ୟାକୁ ୫୫୬ରେ ପହଞ୍ଚାଇଛନ୍ତି। ୬୩ ବଲ୍‌ରୁ ଶତକ ଅର୍ଜନ କରିବା ପରେ ସେ ସଚିନ ତେନ୍ଦୁଲକର (୬)ଙ୍କୁ ପଛରେ ପକାଇ ବିଶ୍ବକପ୍‌ରେ ସର୍ବାଧିକ ଶତକ (୭) ଅର୍ଜନକାରୀ ହୋଇଛନ୍ତି। ଏଥିସହ ବିଶ୍ବକପ୍‌ରେ କପିଳ ଦେବଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଶତକ ଅର୍ଜନକାରୀ ମଧ୍ୟ ହୋଇଥିଲେ। ଏହି ଦ୍ରୁତତମ ଶତକ ତାଙ୍କୁ ବିଶ୍ବକପ୍‌ରେ ଷଷ୍ଠ ଏବଂ ଆନ୍ତର୍ଜାତିକ ଦିନିକିଆରେ ପଞ୍ଚମ ଭାରତୀୟ ଖେଳାଳି କରାଇପାରିଛି। ଏହାବାଦ୍‌ ଦିନିକିଆରେ ପ୍ରାରମ୍ଭିକ ବ୍ୟାଟର ଭାବେ ରୋହିତ ୨୯ ଶତକ ସହ ସନଥ ଜୟସୁରିୟା (୨୮)ଙ୍କୁ ପଛରେ ପକାଇ ସଚିନ (୪୫)ଙ୍କ ପଛକୁ ଦ୍ବିତୀୟରେ ପହଞ୍ଚିଛନ୍ତି।

Related Posts