ରାଜ୍ୟର ୧୬ ଜିଲ୍ଲାରେ RTPCR ଲ୍ୟାବ୍‌ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: କୋଭିଡର ଦ୍ବିତୀୟ ଲହର ସହ ରାଜ୍ୟବାସୀ ମୁକାବିଲା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ଘୋଷଣା କରିଛନ୍ତି। ୧୬ଟି ଜିଲ୍ଲାରେ RT-PCR ଟେଷ୍ଟିଂ ସେଣ୍ଟର ପାଇଁ ମୁଖ୍ୟମନ୍ତ୍ରୀ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ୍ ମୁକାବିଲାରେ ସଂକ୍ରମଣ ରୋକିବାରେ ଟେଷ୍ଟିଂ ବିଶେଷ ଗୁରୁତ୍ବ ବହନ କରିଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା – ଭଦ୍ରକ, ବୌଦ୍ଧ ,ଢେଙ୍କାନାଳ, ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର ,ଯାଜପୁର, କେନ୍ଦ୍ରାପଡା ,ନବରଙ୍ଗପୁର, ମାଲକାନଗିରି ,ନୂଆପଡା, ସୋନପୁର ,କନ୍ଧମାଳ ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଆରଟିପିସିଆର୍ ଟେଷ୍ଟ ସେଂଟର ପ୍ରତିଷ୍ଠା ହେବ। ଏହି ଟେଷ୍ଟିଂ ସେଂଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ମାଇକ୍ରୋ ବାୟୋଲୋଜିଷ୍ଟ ଓ ତିନି ଜଣ ଲ୍ୟାବ ଟେକ୍ନସିଆନଙ୍କୁ ନିୟୋଜିତ କରାଯିବ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୭୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କ ମୃତ୍ୟୁ ଘଟିଛି।ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।

Related Posts