ମନରେଗା ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ୯୩୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା : ପ୍ରେସ୍ ରିଭ୍ୟୁ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ମନରେଗା ଯୋଜନାରେ ବଡ ଧରଣର ଅନିୟମିତତା। ଗତ ୪ ବର୍ଷ ମଧ୍ୟରେ ୯୩୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ଥିବା ସୋସିଆଲ୍ ଅଡିଟ୍ ୟୁନିଟ୍ (SAU) ରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଚାରି ବର୍ଷ ମଧ୍ୟରେ ମନରେଗା ଯୋଜନାରେ ୯୩୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MNREGA) ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ନିଯୁକ୍ତି ଯୋଗାଇ ଦିଆଯାଉଛି। 

‘ଇଣ୍ଡିଆନ୍ ଏକ୍ସପ୍ରେସ୍’ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ପରିଚାଳନା ସୂଚନା ପ୍ରଣାଳୀରୁ ହାସଲ କରିଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୨.୫ କୋଟି ଅର୍ଥାତ୍ ୧.୩୪ ପ୍ରତିଶତ ଅର୍ଥ ଅସୁଲି (recover) କରାଯାଇ ପାରିଛି।  

ଆର୍ଥିକ ବର୍ଷ ୨୦୧୭-୧୮ ରୁ ୨୦୨୦-୨୧ ମଧ୍ୟର ତଥ୍ୟ ହାସଲ କରାଯାଇଛି। ଆର୍ଥିକ ବର୍ଷ ୨୦୧୭-୧୮ ରେ, ଏହି ତଥ୍ୟ ୱେବସାଇଟରେ ଅପଲୋଡ୍ ହେବା ଆରମ୍ଭ କରିଥିଲା । ସେହି ଦିନଠାରୁ, SAU ଗତ ଚାରି ବର୍ଷରେ ଅନ୍ତତଃ ପକ୍ଷେ ଥରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୨.୬୫ ଲକ୍ଷ ଗ୍ରାମ ପଞ୍ଚାୟତର ଅଡିଟ୍ କରିଛି ।

ଆର୍ଥିକ ବର୍ଷ ୨୦୧୭-୧୮ ରେ କେନ୍ଦ୍ର ସରକାର MGNREGA ପାଇଁ ୫୫୬୫୯.୯୩  କୋଟି ଟଙ୍କା ରିଲିଜ୍ କରିଥିଲେ ଏବଂ ସେହି ଦିନଠାରୁ ଏହି ଆର୍ଥିକ ରାଶି ବୃଦ୍ଧି ପାଇବାରେ ଲାଗିଛି। ଆର୍ଥିକ ବର୍ଷ ୨୦୨୦-୨୧ ରେ, ମନରେଗା ଯୋଜନାରେ ବ୍ୟୟ ଅଟକଳ ୧୧୦୩୫୫.୨୭ କୋଟିରେ ପହଞ୍ଚିଛି । ଏହି ଯୋଜନାରେ ମୋଟ ବ୍ୟୟ ୨୦୧୭-୧୮ ରେ ୬୩,୬୪୯.୪୮ କୋଟିରୁ ୨୦୨୦-୨୧ ରେ ୧,୧୧,୪୦୫.୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅଡିଟରେ ଅନେକ ଆର୍ଥିକ ଅନିୟମିତତା ଦେଖିବାକୁ ମିଳିଛି ଯେଉଁଥିରେ ଲାଞ୍ଚ, ନକଲି ଲୋକଙ୍କ ଦେୟ ଏବଂ ନକଲି ବିକ୍ରେତାଙ୍କୁ ଜିନିଷ ଗୁଡିକୁ ଅତ୍ୟଧିକ ମୂଲ୍ୟରେ ବିକ୍ରି କରିବା ଭଳି ଅନିୟମିତତା ଦେଖିବାକୁ ମିଳିଥିଲା।

ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ସର୍ବାଧିକ ୨୪୫ କୋଟି ଟଙ୍କା ଆର୍ଥିକ ଅନିୟମିତତା ହୋଇଛି। ଏହା ବ୍ୟତୀତ କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ଗୁଜୁରାଟ ଏବଂ ଝାଡଖଣ୍ଡରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ତେବେ ରାଜସ୍ଥାନ, କେରଳ, ଅରୁଣାଚଳ ପ୍ରଦେଶ, ଗୋଆ, ଲଦାଖ, ଆଣ୍ଡାମାନ ଏବଂ ନିକୋବର, ଲକ୍ଷ୍ମୀଦୀପ, ପୁଡୁଚେରୀ, ଦାଦର ଏବଂ ନାଗର, ଦାମନ ଆଣ୍ଡ ଡିୟୁରେ MGNREGA ରେ କୌଣସି ଆର୍ଥିକ ଅନିୟମିତତା ଦେଖିବାକୁ ମିଳିନାହିଁ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ନାଗେନ୍ଦ୍ର ନାଥ ସିହ୍ନା ନିକଟରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାହିଁକି ଏତେ କମ୍ ଅସୁଲି (recover) କରାଯାଇଛି ବୋଲି ପଚାରିଛନ୍ତି। ସେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ , ” ଆମେ ସମସ୍ତ ରାଜ୍ୟକୁ ଚିଠି ଲେଖିଛୁ। ଏହି ଦିଗ ପ୍ରତି ଧ୍ୟାନ ନ ଦେବା ଗୋଟିଏ ପ୍ରସଙ୍ଗ। ଦ୍ୱିତୀୟତଃ, SOP ବିନା ଅନିୟମିତତା ପାଇଁ ଦାୟୀ ବ୍ୟକ୍ତିଙ୍କ ଦୋଷ ଚିହ୍ନଟ କରିବା ସହଜ କଥା ନୁହେଁ ।

Related Posts