ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ମତ ରଖିଛନ୍ତି । ତେବେ ଏମାନଙ୍କ ଉପରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏଫ୍‌ଆଇ ଉପରେ ହେଉଥିବା ଚଢ଼ାଉକୁ ନେଇ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଦିଗବିଜୟ।

ସେ କହିଛନ୍ତି “ଯିଏ ହିଂସା ସୃଷ୍ଟି କରୁଛି, ଧାର୍ମିକ ଉନ୍ମାଦନା ସୃଷ୍ଟି କରୁଛି। ସେଇ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ଏମାନଙ୍କ(ପିଏଫ୍‌ଆଇ) ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ସଂଘ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ବିଶ୍ୱ ହିନ୍ଦୁ ପରିଷଦର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି?। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।”

ଦିଗବିଜୟଙ୍କର ଏଭଳି ତୁଳନାକୁ ଦେଖି ରିପୋର୍ଟର ପଚାରିଥିଲେ ଯେ କଣ ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ସମାନ? ଏହାର ଉତ୍ତର ଦେଇ ଶ୍ରୀ ସିଂହ କହିଥିଲେ “ନିଶ୍ଚିତ ରୁପେ ସମାନ। ଯିଏ ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି କରେ ସେମାନେ ସବୁ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ। ଜଣେ ଜଣଙ୍କର ପୂରକ।”

ସୂଚନା ଥାଉକି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ବର୍ତ୍ତମାନ ଦେଶରେ ୧୫ଟି ରାଜ୍ୟରେ ପିଏଫ୍‌ଆଇ ସଂଗଠନ ଉପରେ ଚଢ଼ାଉ କରାଯାଉଛି। ସେପ୍ଟେମ୍ବର ୨୨ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଓ ଇଡି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଥିବା ପିଏଫ୍‌ଆଇ ସଂଗଠନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲା।

ଏଥିରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସଦସ୍ୟକଙ୍କୁ ଗିରଫ କରାଯାଇଛି। ପିଏଫ୍‌ଆଇ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବାକୁ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା। ଚଢ଼ାଉ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ, ଏନ୍ଆଇଏ, ଇଡି ଓ ଗୁଇନ୍ଦା ସଂସ୍ଥା ବୈଠକ କରିଥିଲେ। ଏହାପରେ ଗୁପ୍ତ ଭାବରେ ଚଢ଼ାଉ କରାଯାଇଥିଲା ବୋଲି ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।

ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧିଙ୍କୁ ଧରିବା ପାଇଁ ରାତିରେ ହିଁ ‘ଅପରେସନ ମିଡ୍‌ନାଇଟ୍‌’ ଆରମ୍ଭ ହୋଇଥିଲା। ସଦସ୍ୟମାନେ ଯେମିତି ହଙ୍ଗାମା ନ କରିବେ ସେଥିପାଇଁ ଅପରେସନକୁ ରାତିରେ ହିଁ କରାଯାଉଥିଲା। ଅଧ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଏଥିପାଇଁ ୬ କଣ୍ଟ୍ରୋଲ ରୁମ କରାଯାଇଥିଲା। ଗୃହମନ୍ତ୍ରାଳୟ ପୂରା ଅପରେସନକୁ ପରିଚାଳନା କରୁଥିଲା। ତେବେ ଅପରେସନ ସାରିବା ପରେ ଅଧିକାଂଶ ଏନ୍ଆଇଏ ଅଫିସର ବିଭିନ୍ନ ବିଭାଗର କାମକୁ ଫେରିଆସିଛନ୍ତି।