ଗୋଟିଏ ଗୁଜବ କାରଣରୁ ପୋଷ୍ଟ ଅଫିସ୍‌ରେ ଅଚାନକ ଜମିଗଲା ପ୍ରବଳ ଭିଡ଼

ବିହାରର କିସନଗଞ୍ଜରେ ଆଜିକାଲି ଗୋଟିଏ ଗୁଜବ ଫଳରେ ପୋଷ୍ଟ ଅଫିସ୍‌ର କର୍ମଚାରୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ସୋସିଆଲ୍‌ ମିଡିଆ ମାଧ୍ୟମରେ ଗୁଜବ ପ୍ରଚାର କରାଯାଉଛି ଯେ ମୋଦି ସରକାର ଛଟ୍‌ ବ୍ରତ କରୁଥିବା ମହିଳାଙ୍କ ବ୍ୟାଙ୍କ ଖାତାରେ 6 ହଜାର ଟଙ୍କା ଦେବେ ।

ଏହି ଗୁଜବ ଏମିତି ଜୋର ଧରିଲା ଯେ ଅନେକ ଦିନରୁ ରୋଲବାଗ ସ୍ଥିତ ମୁଖ୍ୟ ଡାକଘରେ କାତା ଖୋଲିବା ପାଇଁ ଲୋକଙ୍କ ଭିଡ଼ ଜମା ହେଉଛି । ଏତିକି ନୁହେଁ, ଦିଘଲବ୍ୟାଙ୍କ, କୋଚାଧାମନ, ବାହାଦୁରଗଞ୍ଜ ଏବଂ ଅନ୍ୟ ସ୍ଥାନରୁ ଶହ ଶହ ଲୋକ ଏଠାକୁ ଖାତା ଖୋଲିବା ପାଇଁ ଆସୁଛନ୍ତି ।

ସ୍ଥିତି ଏମିତି ଯେ କର୍ମଚାରୀଙ୍କ ବୁଝାଇବା ସତ୍ବେ ମହିଳାମାନେ ମାନୁନାହାନ୍ତି । ଦୂରଦୂରାନ୍ତରୁ ପୋଷ୍ଟ ଅଫିସ୍‌ରେ ସଞ୍ଚୟ ଖାତା ଖୋଲିବାକୁ ଆସୁଛନ୍ତି । ଭିଡ଼ ଅଧିକ ହେବା ଫଳରେ ଦୁଇ ଜଣ ମହିଳା ଅଚେତ ହୋଇ ଟଳି ପଡ଼ିଲେ । ଶେଷରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଷ୍ଟମାଷ୍ଟରଙ୍କୁ ପୋଲିସ୍‌କୁ ଡାକିବାକୁ ହେଲା ।


ପୋଷ୍ଟମାଷ୍ଟର ବୀରେନ୍ଦ୍ର ମେହତା କହିଲେ ଯେ ଡାକଘରରେ ସଞ୍ଚୟ ଖାନା ଖୋଲା ଯାଉଛି । କିଛି ଲୋକ ଗୁଜବ ଖେଳାଇ ଦେଇଛନ୍ତି ଯେ ସଞ୍ଚୟ ଖାତା ଖୋଲିଲେ ଛଟ୍‌ ବ୍ରତ କରୁଥିବା ମହିଳାଙ୍କୁ 6 ହଜାର ଟଙ୍କା ଦିଆଯାଉଛି । ଏହି କାରଣରୁ ଜିଲ୍ଲାର 7ଟି ବ୍ଲକ୍‌ରୁ ମହିଳାମାନେ ଏଠି ଭିଡ଼ ଜମାଉଛନ୍ତି ।
ପୋଷ୍ଟମାଷ୍ଟର ଆହୁରି ମଧ୍ୟ କହିଲେ ବ୍ୟାନର, ପୋଷ୍ଟର ଓ ନୋଟିସ୍‌ ମାଧ୍ୟମରେ ଲୋକଙ୍କୁ ଜଣାଇବା ସତ୍ବେ ଲୋକେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ରାତିରୁ ହିଁ ମହିଳାମାନେ ଧାଡ଼ି ଲଗାଉଛନ୍ତି ।

Related Posts