ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ତେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ସହ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଯଦି ଋଷି ସୁନକ ନିର୍ବାଚନ ଜିତନ୍ତି ତେ‌ବେ ‌ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବେ। ମହାମାରୀ ସମୟରେ ଋଷି ସୁନକଙ୍କ କାର୍ଯ୍ୟ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ଥିଲେ। ଋଷି ସୁନକଙ୍କ ଜେଜେବାପା ଏବଂ ମା’ ପଂଜାବର। ସେ ଇନଫୋସିସ୍‌ ପ୍ରତିଷ୍ଠାତା ଏନ୍‌ଆର ନାରାୟଣମୂର୍ତ୍ତିଙ୍କ ଝିଅଙ୍କୁ ବିବାହ କରିଛନ୍ତି। ୪୨ ବର୍ଷୀୟ ଋଷି ସୁନକ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏକ ବିଶାଳ ଇନଭେଷ୍ଟମେଣ୍ଟ୍‌ କମ୍ପାନିର ସହ ପ୍ରତିଷ୍ଠାତା ଥିଲେ।

ଋଷି ସୁନକଙ୍କ ବାଦ୍‌ ଅନ୍ୟ କେତେଜଣ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ପ୍ରତିରକ୍ଷା ସଚିବ ବେନ୍‌ ୱାଲେସ, ବିଦେଶ ସଚିବ ଲିଜ ଟ୍ରସ୍‌ ଏବଂ ପୂର୍ବତନ ସ୍ବାସ୍ଥ୍ୟ ସଚିବ ସାଜିଦ ଜାଭିଦ ଜନସନ୍‌ଙ୍କ ସ୍ଥାନ ନେବାକୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣାପଡ଼ିଛି। ସେହିପରି ନୂଆ ଚାନ୍ସେଲର ନଧିମ ଜହାୱି ଏବଂ ପୂର୍ବତନ ବିଦେଶ ସଚିବ‌ ଜେରେମି ହଣ୍ଟ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts