ଶ୍ରୀଲଙ୍କାକୁ ବାକିରେ ତେଲ ଯୋଗାଉଛୁ ରୁଷ

କଲମ୍ବୋ : ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଛି ରୁଷ । ଏହା ଦ୍ବାରା ଶ୍ରୀଲଙ୍କାର ତୈଳ ବିଶୋଧନାଗାରଗୁଡ଼ିକ ପୁଣି ଆରମ୍ଭ ହୋଇଯାଇଛି ।

ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଉପରେ ପାଶ୍ଚାତ୍ୟ ଦେଶମାନେ କଟକଣା ଲଗାଇଛନ୍ତି । ତେବେ ତେଲକୁ ଏଥିରୁ ଛାଡ଼ କରାଯାଇଛି । ଫଳରେ ଭାରତ, ଚୀନ ପ୍ରଭୃତି ଦେଶ ରୁଷରୁ ରିହାତି ଦରରେ ତେଲ କିଣିପାରୁଛନ୍ତି । ତେବେ ପ୍ରାୟ ଏକ ମାସ ତଳେ ଶ୍ରୀଲଙ୍କା ମଧ୍ୟ ରୁଷରୁ ତେଲ ମଗାଇଥିଲା । କିନ୍ତୁ ଆର୍ଥିକ ସଂକଟ ଯୋଗୁଁ ପୂର୍ବରୁ ବାକି ଥିବା ୭୫ ନିୟୁତ ଡଲାର ଦେଇନ ପାରିବାରୁ ଗତ ଏକ ମାସ ହେଲା ରୁଷର ତୈଳବାହୀ ଜାହାଜ ଗୁଡ଼ିକ ସମୁଦ୍ରରେ ଅଟକି ରହିଥିଲା । ଏବେ ଶ୍ରୀଲଙ୍କାକୁ ବାକିରେ ତେଲ ଯୋଗାଇବାକୁ ରୁଷ ରାଜି ହେବାରୁ ପ୍ରାୟ ୯୦ ହଜାର ଟନ ତେଲର ଯୋଗାଣ ଆରମ୍ଭ ହୋଇଛି ।

ବୈଦେଶିକ ମୁଦ୍ରା ଅଭାବ ଯୋଗୁଁ ଶ୍ରୀଲଙ୍କା ତେଲ ଆମଦାନୀ କରିପାରୁନଥିଲା । ଫଳରେ ଦେଶରେ ଇନ୍ଧନର ଗୁରୁତର ଅଭାବ ଦେଖାଦେଇଥିଲା । ଏବେ ଭାରତ,ଜାପାନ ଓ ଆଉ କେତେକ ଦେଶର ସହାୟତା ଫଳରେ ଶ୍ରୀଲଙ୍କାର ସ୍ଥିତି ସୁଧୁରିବାରେ ଲାଗିଛି ।

ଆଗାମୀ ଦିନରେ ରୁଷରୁ କୋଇଲା ଆମଦାନୀ କରିବାକୁ ମଧ୍ୟ ଶ୍ରୀଲଙ୍କା ଆଲୋଚନା ଚଳାଇଛି ।

Related Posts