ରୁଷ ଓ ୟୁକ୍ରେନ ଯୁଦ୍ଧ ପ୍ରଭାବ: ଅଶୋଧିତ ତୈଳ ଦରରେ ଲାଗିଲା ନିଆଁ

ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି କ୍ରୁଡ୍‌ ଅଏଲ୍‌। ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି। ୨୦୧୪ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ସେପଟେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧିର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଅନୁଭୂତ ହେଲାଣି । ଏହାର ପ୍ରଭାବରେ ଇସ୍ପାତ ଶିଳ୍ପରେ ବ୍ୟବହାର ହେଉଥିବା କଞ୍ଚାମାଲଗୁଡ଼ିକର ଦାମ୍ ବଢ଼ିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି । ତେଲ କଂପାନିଗୁଡ଼ିକର ସ୍ଥିତିରୁ ଲାଭ ଉଠାଉଛନ୍ତି । ଇନ୍ଧନ ଦ୍ବାରା ପରିଚାଳିତ ହେଉଥିବା ସବୁ କ୍ଷେତ୍ରରେ ଦର ନିୟନ୍ତ୍ରଣ କରିବା ଉପରେ ସରକାରମାନଙ୍କୁ ଧ୍ୟାନ ଦେବାକୁ ହେବ ବୋଲି ‌ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ର ଏମ୍‌ଡି ଭି ଆର୍‌ ଶର୍ମା କହିଛନ୍ତି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ଦେଖାଦେଇଛି। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୦ ଡଲାର ପାଖାପାଖି ଥିଲା। ଏବେ ତାହା ୧୩୦ ଡଲାରରେ ପହଞ୍ଚିଯାଇଛି । ଆଉ କିଛି ଦିନ ଭିତରେ ୧୮୦ ଡଲାର ହୋଇଯିବାର ଆଶଙ୍କା ରହିଛି ।

ତେବେ ୨୦୦୮ରେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ଅତିକ୍ରମ କରିଥିଲା। ସେହିପରି ୨୦୧୨ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୮ ଡଲାର ଛୁଇଁଥିଲା। ଏବେ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହୋଇଛି। ସୂଚନା ମୁତାବକ ଗୁରୁବାର ଦିନ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଥିଲା। ବ୍ୟାରେଲ ପିଛା ୧୧୫ ଡଲାର ପାର୍‌ କରିଥିଲା।

Related Posts