ଋଷ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୦ ଦିନରେ ପହଂଚିଥିବା ବେଳେ, ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି | ଫଳରେ ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି | ରୁଷ ସେନା ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜା କୁ ନେବାରେ ଲାଗିଛନ୍ତି |
ପୂର୍ବରୁ ଦୁଇ ଦେଶ ମଧ୍ୟରେ ତିନି ଥର ଆଲୋଚନା ବୈଠକ ବସି ବିଫଳ ହୋଇଥିବା ବେଳେ, ଗତକାଲି ବସିଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବୈଠକ ଅଧାରେ ଠପ ହୋଇଯାଇଛି | ଭିଡିଓ କନଫରେନସିଂ ଜରିଆରେ ଏହି ଆଲୋଚନା ହୋଇଥିଲା । ହେଲେ ଅନ୍ୟାନ୍ୟ କାମ ପାଇଁ ଦୁଇ ପକ୍ଷ ଗତକାଲି ବୈଠକକୁ ଅଧାରେ ସ୍ଥଗିତ ରଖିଥିଲେ । ତେଣୁ ଆଜି ପୁଣି ଥରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ।
ଗତକାଲି ଆଲୋଚନା ବେଳେ ୟୁକ୍ରେନ ପ୍ରତିନିଧି ଦାବି କରିଥିଲେ ତୁରନ୍ତ ଋଷ ଅସ୍ତ୍ରବିରତି ଘୋଷଣା କରୁ । ଏବଂ ଆଲଚୋନାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସିଧାସଳଖ ସାମିଲ ହୁଅନ୍ତୁ ବୋଲି ଜୋଲେନସ୍କିଙ୍କ ପ୍ରତିନିଧି ଦାବି କରିଥିଲେ । ବେଲାରୁସ ସୀମାରେ ଦୁଇ ଦେଶର ବୈଠକ ତୃତୀୟ ଥର ପାଇଁ ବିଫଳ ହୋଇଥିଲ। ଏହାପରେ ତୁର୍କୀରେ ମଧ୍ୟ ବୈଠକ ବସିଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହାପରେ ଦୁଇ ଦେଶ ଭିଡିଓ କନଫରେନସିଂ ଜରିଆରେ ଏକାଠି ହୋଇ ବୈଠକରେ ସାମିଲ ହୋଇଛନ୍ତି ।
ଅନ୍ୟପରେ ଯୁଦ୍ଧ କୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବଡ଼ ଘୋଷଣା କରିଛନ୍ତି । ଋଷ୍ ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ବାଇଡେନ୍ । ଏହାସହ ସେ ୟୁକ୍ରେନକୁ ମାନବୀୟ ସହାୟତା ଓ ସେଠାରେ ଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ବାଇଡେନ୍ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
