୪୯ ଦିନରେ ରୁଷ ଓ ୟୁକ୍ରେନ ଯୁଦ୍ଧ: ମାରିୟୁପୋଲ୍ ରେ ରୁଷ୍ ରସାୟନିକ ଅସ୍ତ୍ର ବ୍ୟବହାର କରିଥିବା ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଅଭିଯୋଗ

କିଭ୍: ଆଜିକୁ ୪୯ ଦିନରେ ପହଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଥମିବା ପରିବର୍ତ୍ତେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି | ରୁଷ ୟୁକ୍ରେନ ଉପରକୁ ଘନ ଘନ ମିସାଇଲ ମାଡ଼ କରି ଚାଲିଛି | ଇତି ମଧ୍ୟରେ ରୁଷ୍ ମାରିୟୁପୋଲ୍ ରେ ଜୋରଦାର ଲଢ଼େଇ କରିଛି। ମାରିୟୁପୋଲ୍ ରେ ରୁଷ୍ ରସାୟନିକ ଅସ୍ତ୍ର ବ୍ୟବହାର କରିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ ସ୍କି ଅଭିଯୋଗ କରିଛନ୍ତି।

ୟୁକ୍ରେନ୍ ର ଏଜୋବ୍ ରେଜିମେଣ୍ଟ୍ ରିପୋର୍ଟ ଆଧାରରେ ଜେଲେନ୍ ସ୍କି ଏଭଳି ଅଭିଯୋଗ ଆଣିଛନ୍ତି। ମାରିୟୁପୋଲ୍ ଲଢ଼େଇ ପାଇଁ ନି ୟୋଜିତ ହୋଇଥିବାଏଜୋବ୍ ବାଟାଲିଅନ ମୁଖ୍ୟ କହିଛନ୍ତି, ରୁଷ୍ ସେନା ମାରିୟୁପୋଲ୍ ର ଏକ ବିଶାଳ ପ୍ଲାଣ୍ଟ୍ ରେ ଡ୍ରୋନ୍ ଆକ୍ରମଣ ସମୟରେ ବିଷାକ୍ତ ପଦାର୍ଥ ପକାଇଛି।

ଏଥିଯୋଗୁଁ କିଛି ସୈନିକ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଛି। ସାଧାରଣ ଲୋକ ମଧ୍ୟ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି । ମାରିୟୁପୋଲରେ ଅନେକ ମୃତାହତ ଆଶଙ୍କା କରାଯାଉଛି । ମାରିୟୁପୋଲ୍ ରେ ରୁଷ୍ ଆକ୍ରମଣ ଯୋଗୁଁ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ମାରିୟୁପୋଲ୍ ମେୟର କହିଛନ୍ତି। ଆଗକୁ ଏହି ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯିବ ବୋଲି ସେ କହିଛନ୍ତି।

ଋଷ୍ ସେନା ମଙ୍ଗଳବାର ସୁଦ୍ଧା ମାରିୟୁପୋଲ୍ ସହରକୁ ନିୟନ୍ତ୍ରଣ କରିବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହି ଲକ୍ଷ୍ୟ ହାସଲ ହୋଇନାହିଁ। ବ୍ରି ଟେନ୍ ବିଦେଶ ସଚିବ ଲିଜ୍ ଟ୍ରସ୍ କହିଛନ୍ତି ରସାୟନିକ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯଦି ରୁଷ୍ ରସାୟନିକ ଅସ୍ତ୍ର ବ୍ୟବହାର କରିଥାଏ ତେବେ ପଶ୍ଚିମ ରାଷ୍ଟ୍ରମାନେ ଏହାର କଡ଼ା ଜବାବ ଦେବେ |

ଅନ୍ୟପଟେ ୟୁକ୍ରେନକୁ ଏହି ସଙ୍କଟ ମଧ୍ୟରେ ରୁଷ ବିରୋଧରେ ଲଢେଇ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରେସିଡେଣ୍ଟାଲ ଡ୍ରଡାଉନ ଅଥୋରିଟି ବା ପିଡିଏ ବଳରେ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ। ପିଡିଏ ବଳରେ ଯୁଦ୍ଧାସ୍ତ୍ର ଦିଆଯିବାର ଅର୍ଥ ରାଷ୍ଟ୍ରପତି ନିଜ କ୍ଷମତା ବଳରେ ଏହି ସହାୟତା କରିବେ। ଏଥିପାଇଁ କାହାର ଅନୁମତି ଆବଶ୍ୟକ ନାହିଁ। ସାଧାରଣତଃ ଜରୁରୀ ପରିସ୍ଥିତି ସମୟରେ ଏପରି କ୍ଷମତାର ପ୍ରୟୋଗ କରାଯାଏ। ଆମେରିକା ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛି ସତ। ହେଲେ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ଦିଆଯିବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ହୋଇନି। ତଥାପି ବିଭିନ୍ନ ପ୍ରକାରର ତୋପ ସହ ହୋୱିଟଜର୍ସ ଭଳି ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ୟୁକ୍ରେନକୁ ଦିଆଯିବ ବୋଲି କୁହାଯାଉଛି। ତେବେ ହ୍ୱାଇଟହାଉସ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts