ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରି ଟିକେଟ ବଦଳାଇବାକୁ ଦାବି କଲେ ସମୀର

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ଚଳିତ 2024 ନିର୍ବାଚନ ପାଇଁ ନିମାପଡ଼ାରୁ ଦିଲୀପ ନାୟକଙ୍କୁ ଟିକେଟ ଦେଇଛି ବିଜେଡି | ଦିଲ୍ଲୀପ ବିଜେପିରୁ ଆସି ବିଜେଡିରେ ଯୋଗଦେଉ ଦେଉ ୩-୩ ଥରର ବିଧାୟକ ସମୀର ଦାସଙ୍କ ଟିକେଟ କାଟି ତାଙ୍କୁ ପ୍ରାର୍ଥୀ କରିଛି ଦଳ | ଆଉ ଟିକେଟ କଟିବା ପରେ ଆଜି ନିମାପଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର | ହଜାର ହଜାର ସମର୍ଥକଙ୍କୁ ଏକାଠି କରି ନିମାପଡା ଟିକେଟର ପୁନର୍ବିଚାର ପାଇଁ ଦଳର ସଭାପତିଙ୍କୁ ନିବେଦନ କରିଛନ୍ତି ସମୀର | ତେବେ ସମୀର ସିଧାସଳଖ ଦଳର ସୁପ୍ରିମୋଙ୍କୁ ଚେତାବନୀ ଦେଇନଥିଲେ ମଧ୍ୟ ତାଙ୍କ ସମର୍ଥକ କିନ୍ତୁ ନିମାପଡ଼ାରେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ ବୋଲି ନାରା ଦେଇ ସିଧାସଳଖ ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି | ଆଜି ପାଖାପାଖି 30 ହଜାର ସମର୍ଥକଙ୍କୁ ଏକାଠି କରି ଟିକେଟ ପରିବର୍ତ୍ତନ କରିବାକୁ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ସମୀର | ଏପରିକି ନିମାପଡ଼ାରେ ବିଜେଡି କହିଲେ ସମୀର ଦାସଙ୍କୁ ବୁଝାଏ | ସେ ହିଁ ବିଜେଡି ସଂଗଠନକୁ ଏଠାରେ ଛିଡା କରିଛନ୍ତି ବୋଲି ତାଙ୍କ ସମର୍ଥକ କହିଛନ୍ତି |

ତେବେ ଦଳ ସମୀରଙ୍କ ଟିକେଟ କାଟିବା ପରେ ଗତ 18 ତାରିଖ ଦିନ ମଧ୍ୟ ଅନେକ କର୍ମୀ ଏକାଠି ହୋଇ ଟିକେଟ କରିଅବର୍ତ୍ତନ କରିବାକୁ ଦାବି କରିଥିଲେ | ଏପରିକି ଯଦି ଦଳ ନିଷ୍ପତ୍ତିର ପୁନଃ ବିଚାର ନକରେ ତାହେଲେ ସାମୁହିକ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ ସମୀରଙ୍କ ଗୋଷ୍ଠୀ । ଆଉ ଆଜି ନିଜ ଶକ୍ତି ପ୍ରଦର୍ଶନ କରି ଦଳର ନେତୃତ୍ୱଙ୍କ ଉପରେ ପୁଣି ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ସମୀର | ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ସମୀରଙ୍କ ଶକ୍ତି ପ୍ରଦର୍ଶନ ପରେ ଟିକେଟ ପରିବର୍ତ୍ତନ ହେଉଛି ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି | ତେବେ ଦଳ ଟିକେଟ ନବଦଳାଇଲେ ନିର୍ବାଚନରେ ସମୀର କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି |

Related Posts