ବିଜେଡି ଜାରି କଲା ଷଷ୍ଠ ପ୍ରାର୍ଥୀ ତାଲିକା; କଟିଲା ୬ ବିଧାୟକଙ୍କ ଟିକେଟ

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ):  ଆଜି ଷଷ୍ଠ ପର୍ଯ୍ୟାୟରେ ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି | ଆଉ ଏହି ୯  ଆସନ ମଧ୍ୟରୁ ୬ ବିଧାୟକଙ୍କ ଟିକଟ କଟିଛି । ଏହି କ୍ରମରେ ବଡ଼ଚଣାରୁ କଟିଛି ବର୍ତ୍ତମାନର ବିଧାୟକ ଅମର ଶତପଥୀଙ୍କ ଟିକଟ । ବାରମ୍ବାର ବଡଚଣାରୁ ବିଧାୟକ ହୋଇ ଆସୁଥିବା ଅମରଙ୍କ ଉପରେ ଏଥର ଭରସା କରିନି ଦଳ | ତେବେ ଅମରଙ୍କ ସ୍ଥାନରେ ନିକଟରେ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି କୁହାଯାଉଥିଲା | ହେଲେ ଦଳ ଏଠି ସମସ୍ତଙ୍କୁ ସାରପ୍ରାଇଜ ଦେଇ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଯାହାକୁ ଉଭୟ ଅମର ଓ ରାଜ ନାରାୟଣଙ୍କ ସମର୍ଥକ କିଭଳି ଗ୍ରହଣ କରୁଛନ୍ତି ତାହା ସନ୍ଦେହରେ ରହିଛି |

ସେହିଭଳି କେନ୍ଦ୍ରାପଡା ଆସନରୁ ଶଶିଭୂଷଣ ବେହେରାଙ୍କ ଟିକଟ କଟିଛି । କେନ୍ଦ୍ରାପଡ଼ାରୁ ଶଶିଙ୍କ ବଦଳରେ କଂଗ୍ରେସରୁ ଆସିଥିବା ଗଣେଶ୍ୱର ବେହେରାଙ୍କୁ ଟିକଟ ମିଳିଛି । ସେପଟେ ଚିଲିକାରେ ମଧ୍ୟ ବିଜେଡି ପ୍ରାର୍ଥୀ ବଦଳିଛନ୍ତି । ଗତଥର ଏଠାରୁ ପ୍ରଶାନ୍ତ ଜଗଦେବ ପ୍ରାର୍ଥୀ ହୋଇ ଜିତିଥିବା ବେଳେ ଏବେ ସେ ବିଜେପିରେ, ତେଣୁ ଏଠାରୁ ଦଳ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି | 

ସେହିପରି ଚମ୍ପୁଆରୁ ବିଧୟିକା ଥିବା ମୀନାକ୍ଷୀ ମହାନ୍ତଙ୍କ ଟିକଟ କଟିଛି ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ସେପଟେ ସିମୁଳିଆରେ ବି ବିଧାୟକଙ୍କ ଟିକଟ କଟିଛି । ଏଠାରୁ ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ସୁଭାସିନୀ ସାହୁଙ୍କୁ ଟିକଟ ମିଳିଛି । ଜ୍ୟୋତିରଞ୍ଜନ ପାଣିଗ୍ରାହୀ ମନ୍ତ୍ରୀ ଥିବା ସମୟରେ ବିବାଦୀୟ ହୋଇଥିଲେ | ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଥିଲା, ଆଉ ଏହି ବିବାଦ ହିଁ ଏବେ ତାଙ୍କ ଟିକେଟ କଟିଛି ବୋଲି କୁହାଯାଉଛି | ସେହିପରି ଆନନ୍ଦପୁରରେ ମଧ୍ୟ ବଦଳିଛନ୍ତି ପ୍ରାର୍ଥୀ । ଏଠାରୁ ବିଧାୟକ ଥିବା ଭାଗିରଥୀ ସେଠୀଙ୍କ ବଦଳରେ ନବାଗତ ଅଭିମନ୍ୟୁ ସେଠୀଙ୍କୁ ଟିକଟ ମିଳିଛି । ସେହିପରି ରେମୁଣାରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ବିଜେଡି । ଏଠାରୁ ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । 

ତେବେ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକାରୁ ବାଦ ପଡିଥିବା ୫ ବିଧାୟକଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି | ଏମାନେ ନୂଆ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ସହଯୋଗ କରିବେ କି ନାହିଁ ତାହା ମଧ୍ୟ ଏବେ ସନ୍ଦେହରେ |

Related Posts