ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ । ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କାମ ଆରମ୍ଭ ହୋଇଛି । ଡ୍ରିଲିଂ କରାଯାଇ କାନ୍ଥ କଟାଯାଉଛି ଆଉ ପଥର କଢାଯାଉଛି । ପଶ୍ଚିମ କାନ୍ଥରେ ଡ୍ରିଲିଂ କରାଯାଇ ୯ଫୁଟିଆ ଚଉଡ଼ାର ଟନେଲ କରାଯିବ। ପରେ ଏହା ଭିତରୁ ରୋବୋଟିକ୍ ଟ୍ରଲି ମାଧ୍ୟମରେ କଢ଼ାଯିବ ବାଲି । ସେକ୍ସନ୍ ଡ୍ରଇଂ ଅନୁଯାୟୀ ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ୍ ନିର୍ମାଣ କରାଯିବ । ସେପଟେ ସୁରକ୍ଷା ଦୃଷ୍ଟିରୁ ଟନେଲ୍ ମଧ୍ୟରେ କୌଣସି ମଣିଷ ପ୍ରବେଶ କରିବେ ନାହିଁ । ଏହା ମଧ୍ୟକୁ ସ୍ବୟଂଚାଳିତ ରୋବୋଟିକ୍ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଅଣାଯିବ । ଏ ନେଇ ସମସ୍ତ ମେକାନିକାଲ୍ ପ୍ଲାଟ୍ଫର୍ମ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି । ବାଲିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ସେଠାରୁ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତରପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି ।
